ନୂଆଦିଲ୍ଲୀ: ଯୌତୁକ ନିରୋଧ ଆଇନକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଜଣେ ମହିଳା ବା ତାଙ୍କ ପରିବାର ଯୌତୁକ ନେଇଥିବା ଲୋକଙ୍କ ବିରୋଧରେ ଅଭିଯୋଗ କରନ୍ତି, ତେବେ କେବଳ ସେହି ଅଭିଯୋଗ ଆଧାରରେ ‘ଯୌତୁକ ଦେଇଥିବା’ ଅପରାଧରେ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ।
ଜଣେ ସ୍ୱାମୀ ତାଙ୍କ ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ FIR ରୁଜୁ କରିବାକୁ ଆବେଦନ କରିଥିଲେ। ସ୍ୱାମୀଙ୍କ ଯୁକ୍ତି ଥିଲା ଯେ, ପତ୍ନୀ ନିଜ ଅଭିଯୋଗରେ ଯୌତୁକ ‘ଦେଇଥିବା’ କଥା ସ୍ୱୀକାର କରିଛନ୍ତି। ଯୌତୁକ ନିରୋଧ ଆଇନ (DP Act) ର ଧାରା ୩ ଅନୁଯାୟୀ, ଯୌତୁକ ଦେବା ମଧ୍ୟ ଏକ ଅପରାଧ, ତେଣୁ ପତ୍ନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।
ଜଷ୍ଟିସ ସଞ୍ଜୟ କୁମାର ଏବଂ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ସ୍ୱାମୀଙ୍କ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି:
-

Sunplus ଯୌତୁକ ନିରୋଧ ଆଇନର ଧାରା ୭(୩) ଅନୁଯାୟୀ, ଯଦି ପୀଡ଼ିତ ପକ୍ଷ (ପତ୍ନୀ ବା ତାଙ୍କ ପରିବାର) ଯୌତୁକ ଦାବି ବିରୋଧରେ ଅଭିଯୋଗ କରନ୍ତି, ତେବେ ସେହି ଅଭିଯୋଗରେ ଦିଆଯାଇଥିବା ବୟାନ ପାଇଁ ସେମାନଙ୍କ ଉପରେ ‘ଯୌତୁକ ଦେବା’ ମାମଲା ଚଲାଯାଇପାରିବ ନାହିଁ।
-
ଯଦି ଯୌତୁକ ଦେଇଥିବା ଲୋକଙ୍କୁ ମଧ୍ୟ ଦଣ୍ଡ ମିଳିବା ଭୟ ରହିବ, ତେବେ କେହି ଯୌତୁକ ଲୋଭୀଙ୍କ ବିରୋଧରେ ମୁହଁ ଖୋଲିବେ ନାହିଁ।
-
କେବଳ ଯଦି ପତ୍ନୀଙ୍କ ବୟାନ ବ୍ୟତୀତ ଅନ୍ୟ କୌଣସି ସ୍ୱତନ୍ତ୍ର ପ୍ରମାଣ ମିଳେ ଯେ ସେମାନେ ଯୌତୁକ ଦେଇଛନ୍ତି, ତେବେ ଯାଇ ମାମଲା ରୁଜୁ ହୋଇପାରେ। କିନ୍ତୁ ସ୍ୱାମୀଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଆଧାର କରି ପତ୍ନୀଙ୍କୁ ଦୋଷୀ କରାଯାଇପାରିବ ନାହିଁ।
ଏହି ରାୟ ପରେ ଏବେ ଯୌତୁକ ନିର୍ଯାତନାର ଶିକାର ହେଉଥିବା ମହିଳାମାନେ ନିର୍ଭୟରେ ଅଭିଯୋଗ କରିପାରିବେ। ସ୍ୱାମୀ ବା ଶ୍ୱଶୁର ଘର ଲୋକ ଆଉ ପାଲଟା ‘ଯୌତୁକ ଦେବା’ ମାମଲା କରି ସେମାନଙ୍କୁ ଡରାଇ ପାରିବେ ନାହିଁ।






