ନାଗରିକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଆଇନର ସପ୍ରକ୍ରିୟାକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟ ଶୁଣାଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଅଭିଯୁକ୍ତ ଯଦି କୌଣସି ଏକ ନିର୍ଦ୍ଧାରିତ ତାରିଖରେ ଅଦାଲତରେ ଉପସ୍ଥିତ ହୋଇପାରୁ ନାହାନ୍ତି, ତେବେ ବିନା କୌଣସି ଠୋସ୍ କାରଣରେ ତାଙ୍କ ବିରୋଧରେ ସିଧାସଳଖ ଜାମିନବିହୀନ ଗିରଫ ପରୱାନା ବା NBW ଜାରି କରାଯାଇପାରିବ ନାହିଁ। ଏହି ଆଧାରରେ ହାଇକୋର୍ଟ ଲଖନପୁର ଜେଏମ୍ଏଫ୍ସି (JMFC) କୋର୍ଟଙ୍କ ଦ୍ୱାରା ଆବେଦନକାରୀ ତ୍ରିନାଥ ଗୁରୁଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ପରୱାନାକୁ ରଦ୍ଦ କରିଦେଇଛନ୍ତି। ହାଇକୋର୍ଟର ଅବକାଶକାଳୀନ ବିଚାରପତି ଜଷ୍ଟିସ ଗୋରୀଶଙ୍କର ଶତପଥୀ ମାମଲାର ଚୂଡ଼ାନ୍ତ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।ମାମଲାର ବିବରଣୀ ଅନୁଯାୟୀ, ଗତ ମେ ୬ ତାରିଖ ଦିନ ନିମ୍ନ ଅଦାଲତରେ ଶୁଣାଣି ସମୟରେ ଅଭିଯୁକ୍ତ ତ୍ରିନାଥ ଗୁରୁ ଓ ଅନ୍ୟମାନେ ଅନୁପସ୍ଥିତ ଥିଲେ। ଏହାକୁ ନେଇ ଲଖନପୁର ଜେଏମଏଫସି ସେହିଦିନ ହିଁ ସିଧାସଳଖ ତ୍ରିନାଥଙ୍କ ବିରୋଧରେ NBW ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ହାଇକୋର୍ଟରେ ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଷ୍ଠିତ ଆଇନଜୀବୀ କମିଲ୍ ରସିଦ୍ ମାମଲା ପରିଚାଳନା କରି ଯୁକ୍ତି ବାଢ଼ିଥିଲେ ଯେ, ଅଭିଯୁକ୍ତ ପୂର୍ବରୁ ୨୦୫ ଡିସେମ୍ବର ୨୩ରେ ଏହି ମାମଲାରେ ଜାମିନ ପାଇସାରିଥିଲେ ଏବଂ ସମସ୍ତ ସର୍ତ୍ତ ମଧ୍ୟ ପାଳନ କରୁଥିଲେ। ଆଇନ ଅନୁଯାୟୀ, ଥରେ ଜାମିନ ମିଳିବା ପରେ ତାହା ରଦ୍ଦ ନ ହେବା ପର୍ଯ୍ୟନ୍ତ କାଏମ ରହେ। ତେଣୁ କେବଳ ଗୋଟିଏ ଦିନ ଅନୁପସ୍ଥିତ ରହିବା ଯୋଗୁଁ କୌଣସି ସ୍ପଷ୍ଟ ସୂଚନା ନଦେଇ ସିଧାସଳଖ NBW ଜାରି କରିବା ସମ୍ପୂର୍ଣ୍ଣ ଭାବେ ଆଇନଗତ ତ୍ରୁଟିପୂର୍ଣ୍ଣ। ହାଇକୋର୍ଟ ନିମ୍ନ ଅଦାଲତଙ୍କ ଆଦେଶକୁ ସମୀକ୍ଷା କରି କହିଛନ୍ତି ଯେ, BNSS-ର ଧାରା ୩୫୫ ଅନୁସାରେ ଅଦାଲତଙ୍କ ପାଖରେ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ କୋହଳ କରିବାର ଯଥେଷ୍ଟ କ୍ଷମତା ରହିଛି। ଯଦି ଜଣେ ଅଭିଯୁକ୍ତ କୋର୍ଟରେ ହାଜର ହେଉନାହାନ୍ତି, ତେବେ ମାଜିଷ୍ଟ୍ରେଟ୍ ସିଧାସଳଖ ଗିରଫ ପରୱାନା ଜାରି ନ କରି, ପ୍ରଥମେ ତାଙ୍କ ଜାମିନଦାର ବା ବେଲର୍ସ (Belers)ଙ୍କୁ ନୋଟିସ୍ ଜାରି କରିବା ଉଚିତ୍।ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଉପଯୁକ୍ତ ଓ ସଠିକ୍ ଆଇନଗତ ପ୍ରକ୍ରିୟା ବିନା କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାଧୀନତାକୁ ଛଡ଼ାଇ ନିଆଯାଇପାରିବ ନାହିଁ। କାରଣ ଗିରଫଦାରୀ ବା ଜେଲ୍ ହାଜତକୁ ଯିବା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ଅନେକ ହଇରାଣ ଏବଂ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ NBW ଭଳି କଠୋର ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଅଦାଲତଙ୍କ ନିକଟରେ ଦୃଢ଼ ଓ ଠୋସ୍ କାରଣ ରହିବା ଆବଶ୍ୟକ।ଏହି ସମସ୍ତ ଦିଗକୁ ବିଚାରକୁ ନେଇ ଓଡ଼ିଶା ହାଇକୋର୍ଟ ନିମ୍ନ ଅଦାଲତଙ୍କ NBW ଆଦେଶକୁ ରଦ୍ଦ କରିବା ସହ ତ୍ରିନାଥ ଗୁରୁଙ୍କ ପୂର୍ବ ଜାମିନକୁ ବଳବତ୍ତର ରଖିଛନ୍ତି। ତେବେ ଆଇନଗତ ପ୍ରକ୍ରିୟାକୁ ସ୍ୱାଭାବିକ କରିବା ପାଇଁ ଆସନ୍ତା ନିର୍ଦ୍ଧାରିତ ତାରିଖରେ ନିମ୍ନ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ଆଗାମୀ ଦିନରେ ନିମ୍ନ ଅଦାଲତଗୁଡ଼ିକ ପାଇଁ ଏକ ବଡ଼ ଦିଗଦର୍ଶନ ସାଜିବ।





