ବାପା-ମାଆଙ୍କ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ବା ପାରିବାରିକ ବିବାଦ ସମୟରେ ପିଲାମାନଙ୍କର ମାନସିକ ସ୍ଥିତି କିଭଳି ସୁରକ୍ଷିତ ରହିବ, ସେ ନେଇ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ. କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଦିନ ଦେଶର ସମସ୍ତ ଅଦାଲତଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ବାପା-ମାଆଙ୍କ ଜିଦ୍ କିମ୍ବା ସ୍ୱାର୍ଥ ଅପେକ୍ଷା ଶିଶୁର ସମ୍ମାନ, ଭାବନାତ୍ମକ ସୁରକ୍ଷା ଏବଂ ମାନସିକ କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ଉଚିତ।
ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ, ଜଣେ ଶିଶୁର ମାନସିକ ଅଭିବୃଦ୍ଧି ଓ କଲ୍ୟାଣ ତା’ର ବାପା-ମାଆଙ୍କ ମାନସିକ ସ୍ଥିତି ସହ ସିଧାସଳଖ ଜଡ଼ିତ। ତେଣୁ ଏଭଳି ସମ୍ବେଦନଶୀଳ ମାମଲାରେ ଉପଯୁକ୍ତ ନିଷ୍ପତ୍ତି ନେବା ପାଇଁ କୋର୍ଟ ଆବଶ୍ୟକ ସ୍ଥଳେ ଉଭୟ ବାପା ଏବଂ ମାଆଙ୍କର ମାନସିକ ସ୍ଥିତିର ଯାଞ୍ଚ ରିପୋର୍ଟ (Psychological Assessment Report) ମଗାଇବା ଜରୁରୀ।ମହାରାଷ୍ଟ୍ରର ଜଣେ ମହିଳାଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟ ୨୦୨୩ ମସିହାରେ ସେହି ମହିଳାଙ୍କ ୧୦ ବର୍ଷର ଝିଅର ମାନସିକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।ବାସ୍ତବରେ, ଆମେରିକାରେ ରହୁଥିବା ସମ୍ପୃକ୍ତ ଶିଶୁର ବାପାଙ୍କ ବିରୋଧରେ ନିଜ ଝିଅକୁ ୩ ବର୍ଷରୁ କମ୍ ବୟସ ହୋଇଥିବା ବେଳେ ଯୌନ ନିର୍ଯାତନା ଦେଇଥିବା ନେଇ ପୋକ୍ସୋ (POCSO) ଆକ୍ଟ ଅନୁଯାୟୀ ମାମଲା ଚାଲିଛି। ତେବେ ବାପା ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ତାଙ୍କ ପତ୍ନୀ ପିଲାକୁ ତାଙ୍କଠାରୁ ଦୂରେଇ ରଖିବା ପାଇଁ ଏଭଳି କରୁଥିବା ଓଲଟା ଅଭିଯୋଗ ଆଣିଥିଲେ। ଅନ୍ୟପକ୍ଷରେ, ମାଆ ଜଣକ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ଶିଶୁଟି ପୂର୍ବରୁ ହିଁ କ୍ରିମିନାଲ ପ୍ରୋସିଡିଂ ସମୟରେ ବୟାନ ରେକର୍ଡ କରି ମାନସିକ ଆଘାତ ଦେଇ ଗତି କରିଛି। ଏଭଳି ସ୍ଥିତିରେ ତାକୁ ବାରମ୍ବାର ମାନସିକ ପରୀକ୍ଷା ନିରୀକ୍ଷା ପରିସରକୁ ଆଣିଲେ, ତାହା ଶିଶୁଟିକୁ ପୁନର୍ବାର ମାନସିକ ନିର୍ଯାତନା (Re-traumatisation) ଦେବା ସଦୃଶ ହେବ।ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ କୋର୍ଟଗୁଡ଼ିକ ସବୁବେଳେ ‘ଚାଇଲ୍ଡ-ସେଣ୍ଟ୍ରିକ’ ବା ଶିଶୁ-କେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ, ଯେଉଁଠି ପିଲାଟିର ସୁରକ୍ଷା ହିଁ ସର୍ବୋପରି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଆଗାମୀ ଦିନରେ ଶିଶୁମାନଙ୍କ ଅଧିକାର ଓ ସେମାନଙ୍କ ସୁରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।





