ଜଳୁଛି ମଣିପୁର: ୬ ନାଗା ଯୁବକଙ୍କ ମୃତଦେହ ଉଦ୍ଧାର ପରେ ସ୍ଥିତି ସଂଗୀନ!

👇समाचार सुनने के लिए यहां क्लिक करें

ପୁଣି ଅଶାନ୍ତ ମଣିପୁର। କାଙ୍ଗପୋକପି ଜିଲ୍ଲାରୁ ୬ ଜଣ ନିଖୋଜ ନାଗା ସମ୍ପ୍ରଦାୟର ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ରାଜ୍ୟରେ ନିଆଁ ଜଳିଉଠିଛି। ଗତ ମେ ୧୩ ତାରିଖରୁ ନିଖୋଜ ଥିବା ଏହି ବ୍ୟକ୍ତିମାନଙ୍କୁ କୁକି ସଶସ୍ତ୍ର ଗୋଷ୍ଠୀ ଅପହରଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ବର୍ବରକାଣ୍ଡ ପ୍ରତିବାଦରେ ନାଗା ସମ୍ପ୍ରଦାୟ ପକ୍ଷରୁ ପାର୍ବତ୍ୟାଞ୍ଚଳ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କେତେକ ସ୍ଥାନରେ ଉତ୍ତ୍ୟକ୍ତ ଲୋକ ବ୍ୟାପକ ଜଳାପୋଡ଼ା ଓ ଭଙ୍ଗାରୁଜା କରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ମଣିପୁର ପୁଲିସ ମହାନିର୍ଦେଶକ (DGP) ମୁକେଶ ସିଂହଙ୍କ ସୂଚନା ଅନୁଯାୟୀ, ଗତକାଲି କାଙ୍ଗପୋକପି ଜିଲ୍ଲାରୁ ୬ ଜଣଙ୍କ ମୃତଦେହ ଠାବ କରାଯାଇ ଶବାଗାରରେ ରଖାଯାଇଛି। ଏହି ଘଟଣା ପରେ କୁକି ଏବଂ ନାଗା ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

ଉଗ୍ର ରୂପ ନେଉଥିବା ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ନାଗା ସମ୍ପ୍ରଦାୟ ପକ୍ଷରୁ ସେମାନଙ୍କ ବହୁଳ ଅଞ୍ଚଳରେ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍ କରାଯାଇଛି। ଏହା ସହିତ ମଣିପୁରର ଉପମୁଖ୍ୟମନ୍ତ୍ରୀ ନେମ୍‌ଚା କିପଜେନ୍‌ଙ୍କ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ।

 ଅନ୍ୟପକ୍ଷରେ, ରାଜ୍ୟର ସାମ୍ପ୍ରତିକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ହିଂସା ଘଟଣାକୁ ନେଇ ସରକାର ନିରବଦ୍ରଷ୍ଟା ସାଜିନାହାନ୍ତି। ଶାନ୍ତିଶୃଙ୍ଖଳା ଭଙ୍ଗ କରୁଥିବା ଦୋଷୀମାନଙ୍କ ବିରୋଧରେ ସରକାର ଉପଯୁକ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”

ବର୍ତ୍ତମାନ ସୁଦ୍ଧା ମଣିପୁରର ପାର୍ବତ୍ୟାଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପୁଲିସ ଓ ସୁରକ୍ଷାବଳ ସତର୍କ ଅଛନ୍ତି। ତେବେ ସରକାରଙ୍କ ଆଶ୍ୱାସନା ପରେ ନାଗା ସମ୍ପ୍ରଦାୟର ଆନ୍ଦୋଳନ ଥମୁଛି ନା ଏହା ଆଗକୁ ଆହୁରି ଉଗ୍ର ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା।

Sidha Sambad
Author: Sidha Sambad

Leave a Comment

और पढ़ें