ଲକ୍ଷାଧିକଭକ୍ତଙ୍କ ମେଳରେ ବାହୁଡିଲେ ମହାବାହୁ। ଭାଇ ଭଉଣୀ ସହିତ ଶ୍ରୀମନ୍ଦିରକୁ ଗଲେ କାଳିଆ ସାଆନ୍ତେ |
ନୀଳଗିରି -୭/୭(ସିଧାସମ୍ବାଦ);
ଚଳିତବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ଅପରାହ୍ନ ପ୍ରାୟ ୩.୩୦ମିନିଟ ସମୟରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତୀଙ୍କ ରଥକୁ ଶଙ୍କରାଖୁଣ୍ଟା ନିକଟରୁ ହଜାର ହଜାର ଭକ୍ତଙ୍କ ସମାଗମରେ ହରିବୋଲ, ଘଣ୍ଟ ଘଣ୍ଟା, ତୂରୀଭେରୀରେ ରଥକୁ ଶ୍ରୀମନ୍ଦିର ସମ୍ମୁଖକୁ ଟାଣି ନିଆଯାଇଥିଲା। ନବଦିନାତ୍ମକ ଏହି ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ପରିତ୍ୟାଗ କରି ଭକ୍ତଙ୍କୁ ଦର୍ଶନ ଦେବାପାଇଁ ବଡଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି। ନଅଦିନ ପାଇଁ ଶ୍ରୀମନ୍ଦିରକୁ ଶ୍ରୀହୀନ କରି ଜନ୍ମବେଦିକୁ ଲୀଳାଖେଳା କରିବାକୁ ଯାଇଥିବା ବେଳେ ବାହୁଡ଼ାଯାତ୍ରାରେ ବାହୁଡ଼ି ଆସନ୍ତି। ମହାବାହୁଙ୍କ ଏହି ମାନବୀୟଲୀଳାର ଅନ୍ତିମ ପର୍ଯ୍ୟାୟରେ ନୀଳଗିରି ବଡଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଥିଲା।ସନ୍ଧ୍ୟାରେ ଲକ୍ଷ୍ମୀନାରାୟଣ ଭେଟ ପରେ ବନ୍ଦାପନା, ଅଧରପଣା ନୀତି ସମାପନ ସହିତ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବାପରେ ଗରୁଡ଼ଶାସନ ନୀତି, ଦକ୍ଷିଣାୟନ ବନ୍ଦାପନା ସମାପନ ପରେ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି କରାଯାଇଥିଲା। ମାତ୍ର ବାଟରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରାଯାଇ ରସଗୋଲା ଭୋଗ ଲାଗି ପରେ ଶ୍ରୀ ବିଗ୍ରହଙ୍କୁ ରତ୍ନସିଂହାସନ ବିଜେ କରାଯାଇଥିଲା।ଏହି ଅନ୍ତିମ ଦିବସରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ, ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଉପଜିଲ୍ଲାପାଳ ଡ଼ଃ ମଧୁସ୍ମିତା ସାମନ୍ତରାୟ, ତହସିଲଦାର ସୋନମ୍ ଦାସ, ଏନଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରମୋଦ ମଲ୍ଲିକ, ଆଇଆଇସି ଗୋବର୍ଦ୍ଧନ ନାୟକ ଉପସ୍ଥିତ ରହି ରଥ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ରଥର ଦିଗ ନିଣୟର ଭାର ସମ୍ଭାଳିଥିବା ବେଳେ ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ। ବଡଦାଣ୍ଡ ସମେତ ମୁଖ୍ୟରାସ୍ତା ଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହି ସୁରକ୍ଷା ବ୍ୟବସ୍ଥାକୁ ସମ୍ଭାଳିଥିଲେ।




