ପ୍ରତାପ ଜେନାଙ୍କ ଘର ସମ୍ମୁଖରେ ହଙ୍ଗାମା: ନିଲମ୍ବିତ ନେତାଙ୍କ ବାଣ ଫୁଟା ଓ ଗାଳିଗୁଲଜ, ମୁଣ୍ଡରେ ବନ୍ଧୁକ ଲଗାଇବା ଅଭିଯୋଗ!

👇समाचार सुनने के लिए यहां क्लिक करें

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଆଗରେ ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଦଳରୁ ନିଲମ୍ବିତ ହୋଇଥିବା ଯୁବ ଓ ଛାତ୍ର ନେତାମାନେ ପ୍ରତାପଙ୍କ ଘର ଆଗରେ ବାଣ ଫୁଟାଇବା ସହ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି। ଏପରିକି ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବା ନେଇ ବଡ଼ ବୟାନ ଦେଇଛନ୍ତି ପ୍ରତାପ ଜେନା। ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ୧୦ ଜଣ ଯୁବ ଓ ଛାତ୍ର ନେତାଙ୍କୁ ନିଲମ୍ବିତ କରାଯାଇଛି। ପ୍ରତାପ ଜେନାଙ୍କ ଦସ୍ତଖତ ଥିବା ନୋଟିସ ପାଇବା ପରେ ଏହି ନେତାମାନେ ଉତ୍ତ୍ୟକ୍ତ ହୋଇ ରାତିରେ ପ୍ରତାପଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବାଣ ଫୁଟାଇବା ସହ ମିଠା ବାଣ୍ଟି ନାରାବାଜି କରିଥିଲେ।ଏହି ଘଟଣା ସମ୍ପର୍କରେ ପ୍ରତାପ ଜେନା କହିଛନ୍ତି ଯେ, ସେ ମାହାଙ୍ଗାରେ ଥିବା ବେଳେ ପ୍ରାୟ ୧୫ ରୁ ୨୦ ଜଣ ପିଲା ତାଙ୍କ ଘର କ୍ୟାମ୍ପସ ଭିତରକୁ ପଶି ଆସିଥିଲେ। ସେମାନେ କେବଳ ଗାଳିଗୁଲଜ କରିନାହାନ୍ତି, ବରଂ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ଏହି ସମସ୍ତ ଦୃଶ୍ୟ ସିସିଟିଭି (CCTV) ରେ କଏଦ ହୋଇଛି।ଏହି ଆକ୍ରମଣ ପରେ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ଡିଜିଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ସକାଳୁ ପ୍ରତାପଙ୍କ ପରିବାରକୁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଛି।ରାଜନୈତିକ ନିଷ୍ପତ୍ତିକୁ ନେଇ ଏଭଳି ହିଂସାତ୍ମକ ପରିସ୍ଥିତି ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଦଳରୁ ବାହାରିବା ପରେ କର୍ମୀଙ୍କ ଏଭଳି ଆଚରଣ ଶୃଙ୍ଖଳିତ ଦଳ କୁହାଯାଉଥିବା ବିଜେଡି ପାଇଁ ଚିନ୍ତାର ବିଷୟ। ତେବେ ପୁଲିସ ଏହି ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।

Sidha Sambad
Author: Sidha Sambad

Leave a Comment

और पढ़ें