ଗୋରୁ ବୋଝେଇ ଗାଡ଼ିକୁ ପିଛା କରିବା ପଡ଼ିଲା ମହଙ୍ଗା: ଦୁର୍ଘଟଣାରେ ଜଣେ ଯୁବକ ମୃତ, ଅନ୍ୟଜଣେ ଗୁରୁତର I

👇समाचार सुनने के लिए यहां क्लिक करें

ସୋର/ବାଲେଶ୍ୱର:ସିଧା ସମ୍ବାଦ’ ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ବାରିକପୁର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋରୁ ବୋଝେଇ ଗାଡ଼ିକୁ ପିଛା କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର କୃପାସିନ୍ଧୁ ବେହେରା ବୋଲି ଜଣାପଡ଼ିଛି।ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର କୃପାସିନ୍ଧୁ ବେହେରା ଓ ଲମ୍ବୋଧର ମହାପାତ୍ର ଏକ ବାଇକ୍ ଯୋଗେ ସମ୍ପୃକ୍ତ ଗାଡ଼ିକୁ ଅଟକାଇବା ପାଇଁ ପିଛା କରିଥିଲେ। ଖନ୍ତାପଡ଼ା ନିକଟରେ ଗୋରୁ ଗାଡ଼ିକୁ ସୁରକ୍ଷା ଦେଉଥିବା (Escort) ଅନ୍ୟ ଏକ ଗାଡ଼ି ବାଇକକୁ ସଜୋରରେ ଧକ୍କା ଦେଇଥିଲା।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କୃପାସିନ୍ଧୁଙ୍କୁ ମୃତ ଘୋଷଣା କରିଥିବା ବେଳେ ଲମ୍ବୋଧରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ବଡ଼ ଡାକ୍ତରଖାନା (SCB) କୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ସୁରକ୍ଷା ଗାଡ଼ିକୁ ଖନ୍ତାପଡ଼ା ପୋଲିସ ଜବତ କରିଥିବା ସୂଚନା ମିଳିଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବେଆଇନ ଗୋରୁ ଚାଲାଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Sidha Sambad
Author: Sidha Sambad

Leave a Comment

और पढ़ें