ତିରୁବନନ୍ତପୁରମ୍ (ସିଧା ସମ୍ବାଦ କଳିଙ୍ଗ):
କୋଚିନ୍ ମିନେରାଲ ଓ ରୁଟାଇଲ ଲିମିଟେଡ୍ (ସିଏମ୍ଆରଏଲ) ବେଆଇନ ଅର୍ଥ କାରବାର ମାମଲାରେ ବଢ଼ିଲା କେରଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ଙ୍କ ଅସୁବିଧା। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ବିଜୟନ୍ଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଛି। ଆସନ୍ତା ଅକ୍ଟୋବର ୨୩ ତାରିଖରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହି ତଦନ୍ତରେ ସହଯୋଗ କରିବାକୁ ଏହି ସମନରେ ନିର୍ଦ୍ଦେଶ ଦିଆଯାଇଛି।
ଶନିବାର ପୁଲିସ ଉପସ୍ଥିତିରେ ଇଡି ଅଧିକାରୀମାନେ ତିରୁବନନ୍ତପୁରମ୍ସ୍ଥିତ ବିଜୟନ୍ଙ୍କ ବାସଭବନ ପାଚେରିରେ ଏହି ସମନ ଲଗାଇଛନ୍ତି। ଏହି ସମୟରେ ବିଜୟନ୍ ଘରେ ଉପସ୍ଥିତ ନଥିଲେ।
ସୂଚନାଯୋଗ୍ୟ, ସିଏମ୍ଆରଏଲ ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବରୁ କେରଳ ପୁଲିସ ମାମଲା ରୁଜୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ତଦନ୍ତ ଭାର ଇଡି ହାତକୁ ନେଇଥିଲା। ତାଙ୍କ ବିରୋଧରେ ଥିବା ଏଫଆଇଆର (FIR) ରଦ୍ଦ କରିବା ପାଇଁ ବିଜୟନ୍ ପ୍ରଥମେ କେରଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପଟେ, ବିଜୟନ୍ଙ୍କ ବାସଭବନ ବାହାରେ ଇଡି ପକ୍ଷରୁ ନୋଟିସ ଲଗାଯିବା ଘଟଣାକୁ ନେଇ ସିପିଆଇ(ଏମ୍)ର ବରିଷ୍ଠ ନେତା ଭି. ଶିବାନକୁଟ୍ଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜୟନ୍ କନ୍ନୁରଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଛନ୍ତି ଏବଂ ସେ ଫେରାର ନୁହଁନ୍ତି, ତେଣୁ ଏଭଳି ପଦକ୍ଷେପ ଅନାବଶ୍ୟକ ବୋଲି ସେ ଅଭିଯୋଗ କରିଛନ୍ତି।