ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ପୁଣିଥରେ ଭାରତ ନିଜର ମାନବିକତା ପ୍ରଦର୍ଶନ କରିଛି। ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଦେଖାଦେଇଥିବା ଖାଦ୍ୟ ସଙ୍କଟର ସମାଧାନ ପାଇଁ ଭାରତ ସରକାର ୧,୦୦୦ ମେଟ୍ରିକ୍ ଟନ୍ ଚାଉଳ ସହାୟତା ଭାବେ ପଠାଇଛନ୍ତି। ଦେଶରେ ଜାରି ରହିଥିବା ଅସ୍ଥିରତା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ଭାରତ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଶ୍ୱର ଦକ୍ଷିଣ ଭାଗରେ ଥିବା ଦେଶଗୁଡ଼ିକ ପାଇଁ ଭାରତ ସବୁବେଳେ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବେ ଠିଆ ହୋଇଛି। ବିପର୍ଯ୍ୟୟ ସମୟରେ ସହାୟତାର ହାତ ବଢ଼ାଇବା ଭାରତର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଯଦିଓ ବୁର୍କିନା ଫାସୋ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି, କିନ୍ତୁ ଏହି ଦେଶ ଖଣିଜ ସମ୍ପଦରେ ବେଶ୍ ସମୃଦ୍ଧ।
-
ରେକର୍ଡ ସୁନା ଉତ୍ପାଦନ: ୨୦୨୫ ମସିହାରେ ବୁର୍କିନା ଫାସୋ ରେକର୍ଡ ୯୪ ଟନ୍ ସୁନା ଉତ୍ପାଦନ କରିଛି।
-
ଜାତୀୟ ଭଣ୍ଡାର: ସେପ୍ଟେମ୍ବର ୨୦୨୫ ସୁଦ୍ଧା ଏହି ଦେଶ ନିଜର ଜାତୀୟ ସୁନା ଭଣ୍ଡାରକୁ ୨୯.୫ ଟନ୍କୁ ବୃଦ୍ଧି କରିଛି।
-
ଭାରତ ସହ ବାଣିଜ୍ୟ: ଚଳିତ ବର୍ଷ ଜାନୁଆରୀରେ ଭାରତ ଏହି ଦେଶରୁ ୩୮.୬ ନିୟୁତ ଡଲାରର ସୁନା ଆମଦାନୀ କରିଛି। ବଦଳରେ ଭାରତ ସେଠାକୁ ଔଷଧ, କାର୍ ଏବଂ ଶିଳ୍ପ ଯନ୍ତ୍ରପାତି ରପ୍ତାନି କରୁଛି।
ବର୍ତ୍ତମାନ ବିଶ୍ୱରେ ସୁନା ଭଣ୍ଡାର କ୍ଷେତ୍ରରେ କିଏ କେଉଁ ସ୍ଥାନରେ ଅଛି, ତାହାର ଏକ ଚିତ୍ର:
-
ଆମେରିକା: ୮,୧୩୩ ଟନ୍ (ପ୍ରଥମ)
-
ଜର୍ମାନୀ: ୩,୩୫୨ ଟନ୍ (ଦ୍ୱିତୀୟ)
-
ଇଟାଲୀ: ୨,୪୫୨ ଟନ୍ (ତୃତୀୟ) …
-
ଭାରତ: ପ୍ରାୟ ୮୭୮ ଟନ୍ ସୁନା ସହ ଅଷ୍ଟମ ସ୍ଥାନରେ ରହିଛି।
ସିଧା କଥା: ସୁନା ଭଣ୍ଡାରରେ ଅଷ୍ଟମ ସ୍ଥାନରେ ଥିବା ଭାରତ, ଆଜି ଆଫ୍ରିକାର ଏହି ସୁନା ସମୃଦ୍ଧ ଦେଶକୁ ସଙ୍କଟ ସମୟରେ ଖାଦ୍ୟ ଯୋଗାଇ ଏକ ବଡ଼ ଭାଇର ଦାୟିତ୍ୱ ତୁଲାଇଛି।



