ଦିଲ୍ଲୀ ସରକାର ନିଜ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ଏବଂ ବଢ଼ୁଥିବା ଇନ୍ଧନ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଯେଉଁ ସରକାରୀ କର୍ମଚାରୀମାନେ ଅଫିସ ଆସିବା ପାଇଁ ଦିଲ୍ଲୀ ମେଟ୍ରୋ, ଡିଟିସି ବସ କିମ୍ବା ଅନ୍ୟାନ୍ୟ ସାର୍ବଜନୀନ ପରିବହନ ବ୍ୟବହାର କରିବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ବା ଅତିରିକ୍ତ ଭତ୍ତା ପ୍ରଦାନ କରାଯିବ। ଅର୍ଥ ବିଭାଗ ପକ୍ଷରୁ ଏହି ଯୋଜନାର ସମ୍ପୂର୍ଣ୍ଣ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଛି ଏବଂ ଖୁବ ଶୀଘ୍ର ଏହାକୁ ସମସ୍ତ ବିଭାଗରେ ଲାଗୁ କରାଯିବ।
ଅର୍ଥ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି ସୁବିଧା ପାଇବା ପାଇଁ କିଛି ସର୍ତ୍ତ ରହିଛି:
-
କମନ ମୋବିଲିଟି କାର୍ଡ ବାଧ୍ୟତାମୂଳକ: କର୍ମଚାରୀମାନଙ୍କୁ ଦିଲ୍ଲୀ ପରିବହନ ନିଗମ (DTC) ଦ୍ୱାରା ଜାରି କରାଯାଇଥିବା କମନ ମୋବିଲିଟି କାର୍ଡ ବ୍ୟବହାର କରିବାକୁ ହେବ।
-
୨୫% ଖର୍ଚ୍ଚ ସର୍ତ୍ତ: ଯଦି ଜଣେ କର୍ମଚାରୀ ନିଜର ମାସିକ ପରିବହନ ଭତ୍ତାର ଅତି କମରେ ୨୫ ପ୍ରତିଶତ ଏହି କାର୍ଡ କ୍ରୟ କିମ୍ବା ରିଚାର୍ଜ କରିବାରେ ଖର୍ଚ୍ଚ କରନ୍ତି, ତେବେ ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ।
-
୧୦% ବୋନସ୍ ଭତ୍ତା: ଯୋଗ୍ୟ ବିବେଚିତ କର୍ମଚାରୀମାନଙ୍କୁ ସେମାନଙ୍କର ମୋଟ ପରିବହନ ଭତ୍ତାର ଅତିରିକ୍ତ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ମିଳିବ, ଯାହା ପ୍ରତି ମାସରେ ସେମାନଙ୍କ ଦରମା (Salary) ସହ ଯୋଡ଼ି ହୋଇ ଆସିବ।
ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ନୂଆ ନିୟମ କାହା ଉପରେ ଜୋର ଜବରଦସ୍ତ ଲଦାଯିବ ନାହିଁ।
-
ଯେଉଁ କର୍ମଚାରୀ ବା ଅଧିକାରୀ ଏହି ଯୋଜନାର ଲାଭ ନେବାକୁ ଚାହିଁବେ, ସେମାନଙ୍କ ସମ୍ମତି ଆଧାରରେ ଏକ କମନ ମୋବିଲିଟି କାର୍ଡ ପ୍ରଦାନ କରାଯିବ।
-
ଯେଉଁମାନେ ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁନାହାଁନ୍ତି, ସେମାନେ ନିଜ ବିଭାଗ ମୁଖ୍ୟଙ୍କୁ (HOO) ଜଣାଇପାରିବେ। ସେମାନଙ୍କୁ ପୂର୍ବଭଳି ସାଧାରଣ ପରିବହନ ଭତ୍ତା ମିଳିବ।
ଏହି ଯୋଜନାକୁ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ୬ ମାସ ପାଇଁ କାର୍ଯ୍ୟକାରୀ କରାଯାଉଛି। ଏହାପରେ ଏହାର ସମୀକ୍ଷା କରାଯିବ ଏବଂ ରିପୋର୍ଟ ଆଧାରରେ ଅବଧିକୁ ଆଗକୁ ବଢ଼ାଯିବ। ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ ସ୍ୱାୟତ୍ତ ସଂସ୍ଥା, ସ୍ଥାନୀୟ ସଂସ୍ଥା, ବୋର୍ଡ, ନିଗମ (Corporations), ଏକାଡେମୀ ଏବଂ ଅନୁଦାନ ପ୍ରାପ୍ତ ଅନୁଷ୍ଠାନର କର୍ମଚାରୀମାନେ ମଧ୍ୟ ଏହି ଯୋଜନାର ସୁଫଳ ପାଇପାରିବେ Iସୂଚନାଯୋଗ୍ୟ ଯେ, ଗତ ମାସରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଦ୍ୱାରା ୯୦ ଦିନିଆ “ମୋ ଭାରତ, ମୋର ଅବଦାନ” ଇନ୍ଧନ ସଂରକ୍ଷଣ ଅଭିଯାନ ଆରମ୍ଭ କରାଯାଇଥିଲା। ଏହା ଅଧୀନରେ କର୍ମଚାରୀମାନଙ୍କୁ ସପ୍ତାହରେ ଦୁଇ ଦିନ ଘରୁ କାମ (Work from Home) କରିବାର ବିକଳ୍ପ ମଧ୍ୟ ଦିଆଯାଇଛି। ଏହା ସହିତ ଲୋକେ ଯେମିତି ନିଜ ବ୍ୟକ୍ତିଗତ ଗାଡ଼ି ଛାଡ଼ି ସାଧାରଣ ପରିବହନ ଆପଣାଇବେ, ସେଥିପାଇଁ ଡିଟିସି ସଚିବାଳୟ ଏବଂ ମେଟ୍ରୋ ଷ୍ଟେସନ ମଧ୍ୟରେ ସ୍ୱତନ୍ତ୍ର ବସ୍ ଚଳାଇବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଇନ୍ଧନ ବଞ୍ଚାଇବା ଦିଗରେ ଦିଲ୍ଲୀ ସରକାରଙ୍କର ଏହି ‘କ୍ୟାଶ୍ ବ୍ୟାକ୍’ କିମ୍ବା ବୋନସ୍ ଭତ୍ତା ନୀତି କେତେଦୂର ସଫଳ ହେଉଛି ଏବଂ ଅନ୍ୟ ରାଜ୍ୟଗୁଡ଼ିକ ଏହାକୁ ଆପଣାଉଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।





