ବାଲେଶ୍ୱର (ସିଧା ସମ୍ବାଦ):
ସରକାରୀ ଅର୍ଥ ହଡ଼ପ ମାମଲାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବିଇଓ (BEO) କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ ସହାୟକ (Junior Assistant) ଦେବଦ୍ୟୁତି ନନ୍ଦଙ୍କୁ ଆଜି (୦୧.୦୮.୨୦୨୬) ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ବାଲିଆପାଳ ଜଗାଇସ୍ଥିତ ପଦ୍ମଲୋଚନ ସରକାରୀ ହାଇସ୍କୁଲରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟରତ ଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ଅଭିଯୋଗ ଅନୁଯାୟୀ, ୨୦୨୨ ରୁ ୨୦୨୬ ମସିହା ମଧ୍ୟରେ ଶ୍ରୀ ନନ୍ଦ ବାଲିଆପାଳ ବିଇଓ କାର୍ଯ୍ୟାଳୟର ବିଲ୍ କ୍ଲର୍କ-କମ୍-ଆକାଉଣ୍ଟାଣ୍ଟ ଭାବେ ନିଜ ପଦବୀର ଦୁରୁପଯୋଗ କରିଥିଲେ। ଅନ୍ୟ କର୍ମଚାରୀଙ୍କ ବକେୟା ମହଙ୍ଗା ଭତ୍ତା (Arrear DA) ବିଲ୍ ମଧ୍ୟରେ ନିଜର ଜାଲ୍ ବକେୟା ଦରମା ବିଲ୍ (Forged Arrear Pay Bills) ସାମିଲ କରି ସେ ଚାଲାକିର ସହ ମୋଟ ୩୭,୩୨,୭୦୮ ଟଙ୍କା ହଡ଼ପ କରିଥିଲେ।
ଏହି ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୧୩/୨୦୨୬, ଧାରା 13(2) r/w 13(1)(a) PC (Amendment) Act, 2018 ଏବଂ 467/468/471/477-A IPC ଅଧୀନରେ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।


