ନୀଳଗିରି, ୧୯/୪ (ସିଧାସମ୍ବାଦ);
ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ ଅଧୀନ ଝୁରେଇ ଗାଁରେ ଯକ୍ଷ୍ମା ଓ କୁଷ୍ଠ ରୋଗ ବ୍ୟାପୀ କିଛି ଲୋକଙ୍କ ଜୀବନ ଯାଇଥିବା ଏବଂ ବହୁ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସା ପାଇ ପାରୁନଥିବା ସମ୍ପର୍କରେ ଏକ ଖବର ପ୍ରକାଶ ପାଇଥିଲା। ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଛି | ଫଳରେ ଗାଁରେ ଡାକ୍ତର ଦଳ ପହଞ୍ଚିଛନ୍ତି।
ନୀଳଗିରି ସଦର ମହକୁମା ଠାରୁ ଏହି ଗାଁର ଦୂରତା ମାତ୍ର ମାତ୍ର ୩ କିଲୋମିଟର। ଏଠାରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇଥିବା ନେଇ ବିଜେପି ସମର୍ଥିତ ଦକ୍ଷିଣ ନରସିଂହପୁର ପଞ୍ଚାୟତ ସମିତିସଭ୍ୟା ପଦ୍ମଜା କାନୁନଗୋ ପଞ୍ଚାୟତ ସ୍ବାସ୍ଥ୍ୟ ବିଭାକୁ ଚିଠି ଲେଖୁଥିଲେ ଏବଂ ସାଂଘାତିକ ଅଭିଯୋଗ ଉଠାଇବା ସହ ଡାକ୍ତରୀ ଦଳ ମୁତୟନ କରିବାକୁ ଦାବି କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଅଭିଶପ୍ତ ଗାଁ କୁହାଯାଉଥିବା ଝୁରେଇ ଆଦିବାସୀ ସାହିରେ ଡାକ୍ତର ଦଳ ପହଞ୍ଚି ରୋଗ ନିରାକରଣ ନିମନ୍ତେ ତତ୍ପର ହୋଇ ଉଠିଥିବା ଦେଖିବାକୁ ମିଳିଛି। ଈଶ୍ବରପୁର ମେଡିକାଲ ଅଫିସର ଡା. କୈଳାସ ଚନ୍ଦ୍ର ବେହେରା, ସନ୍ତରାଗଡ଼ିଆ ମେଡିକାଲ ଅଫିସର ଡା. ଦେବୀପ୍ରସନ୍ନ ପଣ୍ଡା, ଏଏନଏମ ଗୀତାଞ୍ଜଳି ଜେନାଙ୍କ ସମେତ ପ୍ରଣବ ରାଉଳ, ଧୀରେନ୍ଦ୍ର ରାଉତ, ଆଶାକର୍ମୀ ଜୟନ୍ତୀ ମହାଳିକ ପ୍ରମୁଖ ଉକ୍ତ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ସ୍ବାସ୍ଥ୍ୟସେବା ଉଦେଶ୍ୟରେ ପରୀକ୍ଷା ନିରୀକ୍ଷା କରି ଔଷଧ ବିତରଣ କରିଛନ୍ତି । ସ୍ଥାନୀୟ ସମିତି ସଭ୍ୟାଙ୍କ ସ୍ବାମୀ ସମର ଶଙ୍କର କାନୁନଗୋ ଏହି ଡାକ୍ତରୀ ଦଳକୁ ଘରେ ଘରେ
ବୁଲାଇ ଚିକିତ୍ସା ସମ୍ପର୍କରେ ଅବଗତ କରିଥିଲେ। ସେହିପରି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମଧ୍ଯ ଏ ସମ୍ପର୍କରେ ବାଲେଶ୍ବର ଜିଲାପାଳଙ୍କୁ ଅବଗତ କରାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା କୁହାଯାଉଛି।





