*ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ରାଶି ବିନିଯୋଗରେ ରାଜ୍ୟ ସରକାର ବିଫଳ *। *ଆଇଟିଡିଏ ଘେରିଲା ବିଜେଡି*।
ନୀଳଗିରି – ୨୩/୫(ସିଧାସମ୍ବାଦ);
ପୂର୍ବରୁ ବିଜେଡି ସରକାର ନୀଳଗିରି ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଏବଂ ମନ୍ଦିରର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଉନ୍ନୟନ ପାଣ୍ଠିରୁ ୧କୋଟି ୭୦ଲକ୍ଷରୁ ଉର୍ଦ୍ଧ୍ବ ପାଣ୍ଠି ଯୋଗାଇ ଦେଇଥିବାବେଳେ ବର୍ତ୍ତମାନର ଅପାରଗ ସରକାର ଉକ୍ତ ଟଙ୍କା ବିନିଯୋଗ କରିବାରେ ବିଫଳ ହୋଇଛନ୍ତି।ଫଳରେ ସମସ୍ତ ସହାୟତା ରାଶି ଫେରିଯିବାକୁ ବସିଛି। ଏନେଇ ନୀଳଗିରି ବିଜେଡିର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଇଂ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ବରେ ପାଞ୍ଚଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଶୁକ୍ରବାର ପୂର୍ବାହ୍ନ ୧୦ସମୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହିତ ଧାରଣା ଦେଇଥିଲେ। ତତ୍କାଳୀନ ବିଜେଡ଼ି ସରକାରଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ନୀଳଗିରି ନିର୍ବାଚନମଣ୍ଡଳୀର ବିଭିନ୍ନ ଭିତ୍ତିଭୂମୀ ଉନ୍ନୟନ ପ୍ରକଳ୍ପ ଓ ମନ୍ଦିରର ବିକାଶ ଏବଂ ରକ୍ଷଣାବେକ୍ଷଣ ପାଇଁ ୨୦୨୪ମସିହା ଫେବୃଆରୀ ୨୩ତାରିଖରେ ୧କୋଟି ୧୫ଲକ୍ଷ ୫୦ହଜାର ଏବଂ ମାର୍ଚ୍ଚ ୧ତାରିଖରେ ପୁନର୍ବାର ୫୫ଲକ୍ଷ ୫୦ହଜାର ତାଙ୍କର ସ୍ଵତନ୍ତ୍ରସହାୟତା ରାଶି ମୋଟ ୧କୋଟି ୭୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନୀଳଗିରି ଆଇଟିଡିଏ ମାଧ୍ୟମରେ ପ୍ରଦାନ କରିଥିଲେ। ମାତ୍ର ସରକାରଙ୍କ ଅଦୂରଦୃଷ୍ଟି ଏବଂ ବିଭାଗୀୟ କତୃପକ୍ଷଙ୍କ କାଳକ୍ଷେପଣ ନୀତି ପାଇଁ ସମସ୍ତ ସହାୟତା ରାଶି ଫେରିଯିବାକୁ ବସିଛି।ତେଣୁ ଆଗାମୀ ଦିନରେ ଲୋକେ କ୍ଷମା ଦେବେନି ବୋଲି ଉପସ୍ଥିତ ନେତୃମଣ୍ଡଳୀ ମତବ୍ୟକ୍ତ କରିଥିଲେ।ପରେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କାରୁ ସୋରେନଙ୍କୁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ଧାରଣାରେ ସୁକାନ୍ତ ନାୟକଙ୍କ ସମେତ ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ପରିଡା, ବରିଷ୍ଠ ବିଜେଡିନେତା ଗଙ୍ଗାଧର ମିଶ୍ର, ସତ୍ୟନାରାୟଣ ମାକଳ, ରାଧାଗୋବିନ୍ଦ ଖଟୁଆ, ଉପେନ୍ଦ୍ର ଦାସ, ସମିତିସଭ୍ୟ ରାଜୀବ ଦାସବାବୁ , ସରପଞ୍ଚ ସୁରଥ ସିଂ, କୁଳମଣି ନାୟକ, ମାଳତୀ ମାର୍ଣ୍ଡୀ, ରଞ୍ଜିତା ଦାଣ୍ଡପାଟ, ବିନୋଦ ମହାନ୍ତି, ଶାନ୍ତିଲତା ବିଶ୍ୱାଳ, ପ୍ରଫୁଲ୍ଲ ପରିଡା, ସଞ୍ଜୟ ସିଂ, ପ୍ରଭାକର ବୁଗୁଡେଇ, ଅନ୍ତର୍ଯ୍ୟାମୀ ବୁଗୁଡ଼େଇ ପ୍ରମୁଖ ବହୁ ନେତା ଓ କର୍ମୀ ସାମିଲ ରହି ଥିଲେ।







