ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି |
ହଜାର ହଜାର ଭକ୍ତଙ୍କୁ ଦର୍ଶନଦେଲେ |
ନୀଳଗିରି, ୧୧/୬(ସିଧାସମ୍ବାଦ); ଆଜି ହେଉଛି ସ୍ନାନ ପୂର୍ଣ୍ଣିମା।
ସ୍ନାନବେଦୀରେ ମହାପ୍ରଭୁଙ୍କ କରାଯାଇଛି ମହାସ୍ନାନ। ହଜାର ହଜାର ସଂଖ୍ୟାରେ ଭକ୍ତ ଏବଂ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏହି ମହାସ୍ନାନ।ଏକା କାର ହୋଇ ଯାଇଛନ୍ତି ଭକ୍ତ ଆଉ ଭଗବାନ | ବିଶ୍ବ ନିଅନ୍ତା ପରମ ପ୍ରେମମୟ କୋଟି ବିଶ୍ୱ ବ୍ରହ୍ମାଣ୍ଡ ର ନାଥ,ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଉପଲକ୍ଷେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଆଜି ବେଶ ଚଳ ଚଞ୍ଚଳ ହୋଇଛି। ରତ୍ନ ବେଦୀ ରୁ ସ୍ନାନ ମଣ୍ଡପକୁ ବିଜେ ପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି। ପ୍ରଭାତରୁ ମଙ୍ଗଳ ଆଳତି, ଅବକାଶ ନୀତି, ତଥା ସମସ୍ତ ନିତିକାନ୍ତି ସମାପନ ପରେ, ରତ୍ନ ବେଦୀରୁ ଧାଡ଼ି ପହଣ୍ଡିରେ ମହାପ୍ରଭୁ ଙ୍କୁ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ଛେରା ପହଁରା କରି ସ୍ନାନ ମଣ୍ଡପ କୁ ବିଜେ କରିଥିଲେ।ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ନୀତି କାନ୍ତି। ପ୍ରାରମ୍ଭରେ ମଙ୍ଗଳ ଆଳତି, ଅବକାଶ, ସେନାପଟା ଲାଗି ହେବାପରେ, ମହାସ୍ନାନ ନୀତି ଆରମ୍ଭ ହୋଇଥିଲା। ପବିତ୍ର ସୁବର୍ଣ୍ଣ କୂପରୁ ୧୦୮ଗରା ଜଳ ଅଣାଯାଇ ବିଭିନ୍ନ ସୁବାସିତ ଜଳରେ ମହାପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା, ଜଗତର ନାଥ ଜଗନ୍ନାଥ, ଚକ୍ରରାଜ ସୁଦର୍ଶନଙ୍କୁ ସେବକ ମାନଙ୍କ ଦ୍ଵାରା ସ୍ନାନ କରାଯାଇଥିଲା। ୩୩ଗରା ଜଳରେ ମହାପ୍ରଭୁ ବଳଭଦ୍ର, ୩୫ଗରା ଜଳରେ ମହାପ୍ରଭୁ ଜଗନ୍ନାଥ, ୨୨ଗରା ଜଳରେ ମାତା ସୁଭଦ୍ରା ଏବଂ ୧୮ଗରା ସୁବାସିତ ଜଳରେ ଚକ୍ରରାଜ ସୁଦର୍ଶନଙ୍କୁ ସ୍ନାନ କରାଯିବା ପରେ, ଆରମ୍ଭ ହୋଇଥିଲା ଦିଅଁଙ୍କ ଗଜାନନ ବେଶ। ବର୍ଷକରେ ଥରେ ଚତୁର୍ଦ୍ଧା ମୂର୍ତ୍ତି ଏହି ଗଜାନନ ବେଶରେ ଖୋଲା ଆକାଶ ତଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଉଥିବାରୁ ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ଅତି ଆନନ୍ଦର ସହ ଦର୍ଶନ କରିଛନ୍ତି । ଗଜାନନ ବେଶ ରେ ମହାପ୍ରଭୁ ଦର୍ଶନ କଲେ, ଜନ୍ମ ଜନ୍ମାନ୍ତର ର ପାତକ ନଷ୍ଟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସ୍ନାନ ପରେ ଦେବ ରାଜ ଇନ୍ଦ୍ର ବୃଷ୍ଟି କରାଇଥିଲେ | ଗୁଳୁଗୁଳି ରୁ ନିସ୍ତାର ମିଳିଥିଲା |




