ମା’ ଭଧାରଚଣ୍ଡୀଙ୍କ
ପୀଠ ସ୍ଥଳୀ ରେ ନିଆଁପାଟ ପର୍ବ।
ନୀଳଗିରି,୧୪/୦୬(ସିଧାସମ୍ବାଦ);
ରଜ ପର୍ବ କୁ ଓଡିଶାର ପାରମ୍ପରିକ ପର୍ବ ଓ ଗଣପର୍ବ କୁହାଯାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିବସଟି ଭୂଇଁ ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ। ଏହି କ୍ରମରେ ସଜନାଗଡ଼ ଠାରେ ଶହ ଶହ ବର୍ଷ ପୂର୍ବେ ପ୍ରତିଷ୍ଠିତ ଦେବୀ ମା’ ଭୂଧାରଚଣ୍ଡୀଙ୍କ ପୀଠ ସ୍ଥଳୀରେ ରଜ ସଂକ୍ରାନ୍ତି ଉପଲକ୍ଷେ ଶନିବାର ମଧ୍ୟାହ୍ନରେ ନିଆଁପାଟ ପର୍ବ ଶହ ଶହ ଭକ୍ତଙ୍କର ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଗତ ୯ତାରିଖରୁ ଅର୍ଦ୍ଧନାଗେଶ୍ବର ମୂର୍ତ୍ତିକୁ ପୂଜା କରାଯାଇ ତହିଁ ପରଦିନଠାରୁ ଗଡ଼ବାସୁଳି ଦାସି, ପାଟଭକ୍ତା, ଦେଶଭକ୍ତା, ମା’ ଭୂଧାରଚଣ୍ଡୀଙ୍କ ଦାସି (କାଳିସି) ଗଡବାସୁଳିଙ୍କ ଖଡଗ ଧରି ସଜନାଗଡ଼ ମନ୍ଦିରର ପାର୍ଶ୍ଵବର୍ତ୍ତୀ ଗ୍ରାମକୁ ଯାଇ ନିଆଁପାଟ ଓ ଉଡ଼ାପର୍ବ ପାଇଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଗତ ଶୁକ୍ରବାର ମଧ୍ୟ ରାତ୍ରିରେ ଭକ୍ତମାନେ ସଜନାଗଡ ଚଣ୍ଡୀ ପୋଖରୀକୁ ଯାଇ ପୂଜାର୍ଚ୍ଚନା କରିବା ସହ ଅର୍ଦ୍ଧନାଗେଶ୍ଵର ମୂର୍ତ୍ତିଠାରେ ନିଶାଘଟ ଉତ୍ତୋଳନ ପୂଜାବିଧି ସରିବା ପରେ ମା’ ଙ୍କ ମନ୍ଦିରକୁ ଆସି ଘଟ ସ୍ଥାପନ କରିଥିଲେ। ରାତ୍ରୀ ଏକ ଘଟିକା ସମୟରେ ଯାତ୍ରା ଘଟ ଧରି ଦୁଇ ଦାସି ଓ ଭକ୍ତା ମାନେ ଗାଁ ପରିକ୍ରମା କରି ମନ୍ଦିରରେ ଭୋର ୪ ଘଟିକା ସମୟରେ ପୂଜା ବିଧି ସମାପନ କରିଥିଲେ। ଶନିବାର ସକାଳେ ମା’ ଭଧାରଚଣ୍ଡୀଙ୍କ ପୀଠରେ ନୀତିକାନ୍ତି ସରିବା ପରେ ଦିନ ୧୨ଟାରେ ଭକ୍ତାମାନେ ଚଣ୍ଡୀ ପୋଖରୀରେ ଗାଧୋଇ ମା’ଙ୍କ ଦର୍ଶନ ସାରିବା ପରେ ଆରମ୍ଭ ହୋଇଥିଲା ନିଆଁପାଟ। ମା’ ଭୂଧାରଚଣ୍ଡୀଙ୍କ ସାମ୍ନା ପଡ଼ିଆରେ ଦେଢ଼ଫୁଟ ଉଷାର ୯ଫୁଟ୍ ଲମ୍ବର ଏକ ଗର୍ତ୍ତ ଖୋଳାଯାଇ କାଠ କୋଇଲାରେ ଅଗ୍ନି ସଂଯୋଗ କରା ଯାଇଥିଲା । ଏହି ଅଗ୍ନି ପାଟରେ ୭୦ରୁ ଊର୍ଦ୍ଧ୍ବ ଭକ୍ତାମାନେ ମା’ଙ୍କ ନାମ ସ୍ମରଣ କରି ଅଗ୍ନି ଉପରେ ଚାଲିଥିଲେ। ଏଥିରେ ମନ୍ଦିର ମୁଖ୍ୟ ପୂଜାରୀ ବିଜୟ ପଣ୍ଡା, ମା’ଙ୍କ ସର୍ଦ୍ଦାର ଚକ୍ରଧର ଦାସବାବୁ ଓ ଭକ୍ତାମାନେ ସହଯୋଗ କରିଥିଲେ |
ଏହି ନିଆଁପାଟ ଉଡା ପର୍ବ ଦେଖିବା ପାଇଁ ନୀଳଗିରିର ଆଖ ପାଖ ଅଞ୍ଚଳରୁ ଶହ ଶହ ଲୋକ ଏକାଠି ହେଇଥିଲେ। ସୂଚନା ଯୋଗ୍ୟ ରାଜାରାଜୁଡା ଅମଳର ସଜନାଗଡ଼ରେ ଥିବା ପ୍ରତିଷ୍ଠିତ ମା’ ଭୂଧାରଚଣ୍ଡୀଙ୍କ ପୀଠରେ ଏହି ନିଆଁ ପାଟ ଓ ଉଡାପର୍ବ ହୋଇ ଆସୁଅଛି। ନୀଳଗିରି ରାଜବଂଶ ଏବଂ ନୀଳଗିରିର ଇଷ୍ଟ ଦେବୀ ମା’ ଙ୍କ ସ୍ଥାପନା ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। କୁହାଯାଏ ୧୪୫୨ ଖ୍ରୀଷ୍ଟାଦ୍ଧରେ ରାଜା ନାରାୟଣ ବସନ୍ତ ବିରାଟ ଭୂଜଙ୍ଗ ମାନ୍ଧାତା ମା’ଙ୍କୁ ସ୍ଥାପନା କରିଥିଲେ। ୧୫୦୦ ଖ୍ରୀଷ୍ଟାବ୍ଦ ଶେଷାର୍ଦ୍ଧରେ କଳାପାହାଡ଼ ଆକ୍ରମଣ କରି ମା’ଙ୍କ ମନ୍ଦିର ଭାଙ୍ଗି ଦେଇଥିଲେ। ଏହି ସମୟରେ ମା’ଙ୍କୁ ଏକ ନିମ୍ବଗଛ ମୂଳେ ଲୁଚାଇ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ସ୍ବପ୍ନାଦେଶ ପାଇ ମନ୍ଦିର ତୋଳିଥିଲେ।




