କୁଲଡିହା ଅଭୟାରଣ୍ୟରେ ଗଳିତ ହାତୀର ମୃତଦେହ ଉଦ୍ଧାର |
ନୀଳଗିରି, ୧୭/୬(ସିଧାସମ୍ବାଦ); ନୀଳଗିରି ଉପଖଣ୍ଡ କୁଳଡିହା ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁର ଖବର ସାମ୍ନାକୁ ଆସିଛି।କୁଳଡିହା ରେଞ୍ଜ କୁଳଡିହା ୨ ବିଟ୍ର ତଥା ତେଲିପାଳ ପଞ୍ଚାୟତ ଅଧିନ ପୁଟିବନ୍ଧ ନିକଟରେ ଏକ ମୃତ ହାତୀର ଶବକୁ ବନବିଭାଗ ପକ୍ଷରୁ ଠାବ କରାଯାଇଛି ।ହେଲେ ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ହାତୀଟି ଦନ୍ତା କି ମାଈ କେତେ ଦିନ ହେବ ହାତୀର ମୃତ୍ୟୁ ହୋଇଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବା ବୋଲି ବନବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ସୂଚନା ମୁତାବକ ତେଲିପାଳ ପଞ୍ଚାୟତ ହୁଡିସାହି ଓ ପୁଟିବନ୍ଧର କିଛି ଲୋକ ଜାଳେଣୀ ପାଇଁ ଜଙ୍ଗଲକୁ ଆଜି ସକାଳେ ଯାଇଥିବା ସମୟରେ ଅତ୍ୟଧିକ ଦୁର୍ଗନ୍ଧ ହୋଇଥିଲା।ଦୁର୍ଗନ୍ଧକୁ ବାରି ବାରି ସେମାନେ ଏକ ଆମ୍ବ ଗଛ ମୂଳରେ ହାତୀର ଶବ ପଡିଥିବାର ଦେଖି ବନବିଭାଗ କର୍ମଚାରୀ ମାନଙ୍କୁ ଅବଗତ କରିଥିଲେ।ପରେ ଭାରପ୍ରାପ୍ତ ଡିଏଫଓ ଅଭୟ କୁମାର ଦଳେଇ,ଏସିଏଫଓ ଦିଗନ୍ତ ଶୋଭନ ଚାନ୍ଦ ,କୁଳଡିହା ରେଞ୍ଜର ସୁବ୍ରତ କୁମାର ବେହେରା ,ଅତିରିକ୍ତ ତହସିଲଦାର ଶୁଭଶ୍ରୀ ଜେନା,ଜେଟିଏଫର ଏକ ଟିମ୍,ସ୍ଥାନୀୟ ବରହମପୁର ପୋଲିସ,ନୀଳଗିରି ପଶୁ ଚିକିତ୍ସକ ଡ.ହିମାଂଶୁ ଶେଖର ଦେ,ଡ.ସୂର୍ଯ୍ୟନାରାୟଣ ନାୟକ,ଔପଦା ପ୍ରାଣୀ ଚିକିତ୍ସକ ଡ.ଚିନ୍ମୟ କୁମାର ମିଶ୍ରଙ୍କର ଏକ ତିନି ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତୀର ଫୁସଫୁସ,
ବୃକକ,ହୃଦୟ,ଓ ଯକୃତର ନମୁନା ସଂଗ୍ରହ କରାଯାଇ ଲାବ ପରୀକ୍ଷା ନିମନ୍ତେ ପଠାଯାଇଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହାତୀଟି କିପରି ମୃତ୍ୟବରଣ କଲା କେତେ ଦିନ ହେବ ମୃତ୍ୟୁବରଣ କରିଛି,ତାର ବୟଷ କେତେ,ଏହା ମାଇ କି ଦନ୍ତା ତାହା ଜଣାପଡିବ ବୋଲି ଡିଏଫଓ ଶ୍ରୀ ଦଳେଇ କହିଛନ୍ତି।ତେବେ ସବୁଜ ବାହିନୀ,ଗଜସାଥୀ,ଓ ବନକର୍ମଚାରୀ ମାନେ ଥାଉ ଥାଉ କିପରି ହାତୀ ମୃତ୍ୟୁର ଖବର ବନବିଭାଗ ଜାଣିପାରିଲାନାହିଁ,
ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶୁ ପ୍ରେମୀ ଓ ପଶୁ ଗବେଷକମାନେ।ପ୍ରକୃତରେ ହାତୀଟି ମରିଛି ନା ତାକୁ ମାରିଦିଆଯାଇଛି ତାହା ମଧ୍ୟ ଏବେ ସନ୍ଦେହ ଘେରରେ।




