ନାବାଳିକା ବିବାହ ରୋକିଲା ପ୍ରଶାସନ |
ଗ୍ରାମରେ ଚାପା ଉତ୍ତେଜନା |
ନୀଳଗିରି,୩/୭(ସିଧାସମ୍ବାଦ);ମାମୁଁ ଘରେ ରହି ଆସୁଥିବା ଜୈନିକ ନାବାଳିକା କୁ ଅନ୍ୟତ୍ର ବିବାହ ପାଇଁ ସଜବାଜ ହେଉଥିବା ବେଳେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିବାହ ରୋକିବାରେ ସଫଳ ହୋଇଛି | ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନୀଳଗିରି ଥାନା ସଜନାଗଡ଼ ପଞ୍ଚାୟତ ତେଣ୍ଡା ଗ୍ରାମର ମୁଣ୍ଡୁଗୁରା ଆଦିବାସୀ ସାହିରେ | ଆମ୍ବଝର ଗ୍ରାମର ସୁନାରାମ ସିଂ ଙ୍କ ଘର ହୋଇଥିବା ବେଳେ ଶ୍ୱଶୁର ଘର ମୁଣ୍ଡୁଗୁରା ସାହିରେ ତାଙ୍କର ୧୭ବର୍ଷ ୩ ମାସ ର ଜୈନିକ ନାବାଳିକା କନ୍ୟା ସୁଦୂର ମୟୂରଭଞ୍ଜ ଜିଲ୍ଲାରେ ବିବାହ ଆଜି ରାତିରେ ହୋଇଥାନ୍ତା | ସେଥିଲାଗି ରୀତି ନୀତି ଅନୁଯାଇ କନିଆ କନିଆ ବେଶରେ ସଜେଇ
ହୋଇଥିବା ବେଳେ ବିବାହ ବେଦୀ ଠାରୁ ଆରମ୍ଭ କରି ଘର ସାଜସଜ୍ଜା ଏବଂ ଭୋଜି ଭାତ ର ଆୟୋଜନ ହେଉଥିଲା | ନୀଳଗିରି ପୋଲିସ
ବିଶେଷ ସୂତ୍ରରୁ ଖବର ପାଇ ଅପରାହ୍ନ ୨ ଘଟିକା ସମୟରେ ଗ୍ରାମରେ ପହଞ୍ଚି ଚଢ଼ାଉ କରିଥିଲା | ନାବାଳିକାର ବୟସ ଜାଣିବା ପାଇଁ ସ୍ଥାନୀୟ ଅଙ୍ଗନାୱାଡି କର୍ମୀଙ୍କୁ ଡାକି ଆଡ଼ମିସନ ରେଜିଷ୍ଟର ଦେଖି ନାବାଳିକା ସଠିକ ବୟସ ଜାଣିବା ପରେ ସେ ଜଣେ ନାବାଳିକା ଏବଂ ତାଙ୍କ ବୟସ ୧୭ବର୍ଷ ୩ମାସ ବୋଲି ଜାଣିବାକୁ ପାଇଥିଲେ | ଏବଂ ବିବାହ ବନ୍ଦ କରିଥିଲେ | କିନ୍ତୁ ନାବାଳିକାର ମାମୁଁ ଘର ପରିବାର,ଜ୍ଞାତି କୁଟୁମ୍ବ, ସ୍ୱଜନବର୍ଗ ବିବାହ ପାଇଁ ଜିଦ ଧରିଥିଲେ | ଏନେଇ ଗ୍ରାମରେ କିଛିସମୟ ପାଇଁ ଉତ୍ତେଜନ ପରିସ୍ଥିତି ସୃଷ୍ଟି ହୋଇଥିଲା | ନାବାଳିକାର ବୟସ ୧୮ ବର୍ଷ ବୟସ ହୋଇ ନଥିବାରୁ ଏହା ଆଇନ ବିରୋଧ ଏବଂ ୧୮ ବର୍ଷ ହେବାପରେ ବିବାହ କରିପାରିବେ ବୋଲି ବୁଝାସୁଝା ପରେ ବିବାହ ସ୍ଥଗିତ ହୋଇଥିଲା ବୋଲି ପୋଲିସ କହିଛି |






