ଖୋର୍ଦ୍ଧାରେ ଆର୍ବିଆଇ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟରର ଉଦ୍ଘାଟନ କରିବେ ମୋଦୀ
ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର, ୧୭/୧୦:
ଅକ୍ଟୋବର ମାସରେ ଓଡ଼ିଶାକୁ ଆସିବେ ଦେଶର ଦୁଇ ସର୍ବୋଚ୍ଚ ରାଷ୍ଟ୍ରୀୟ ନେତୃତ୍ୱ। ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଖୋର୍ଦ୍ଧା ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର ଉଦ୍ଘାଟନ କରିବେ। ଏହାର ତିନି ଦିନ ପରେ, ଅର୍ଥାତ୍ ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।
ଉଭୟ ଭିଭିଆଇପିଙ୍କ ଗସ୍ତକୁ ସଫଳ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଶନିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଯାତାୟାତ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ବିଦ୍ୟୁତ୍ ଯୋଗାଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରାଯାଇଛି।
ଅକ୍ଟୋବର ୨୫ରେ ମୋଦୀଙ୍କ ଗସ୍ତ
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖ ଅପରାହ୍ନରେ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଖୋର୍ଦ୍ଧା ହେଲିପ୍ୟାଡ୍ରେ ପହଞ୍ଚିବା ପରେ ସଡ଼କପଥରେ ଆର୍ବିଆଇର କାର୍ଯ୍ୟକ୍ରମ ସ୍ଥଳକୁ ଯିବେ।
ସେଠାରେ ଆର୍ବିଆଇର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ଘଣ୍ଟା ରହିବା ପରେ ସଡ଼କପଥରେ ଭୁବନେଶ୍ୱର ବିମାନବନ୍ଦରକୁ ଫେରି ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ମୟୂରଭଞ୍ଜରେ ରାଷ୍ଟ୍ରପତିଙ୍କ ବ୍ୟସ୍ତ କାର୍ଯ୍ୟସୂଚୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ଓଡ଼ିଶାରେ ପହଞ୍ଚିବେ। ଏହି ଦିନ ସେ ମୟୂରଭଞ୍ଜ ଜିଲ୍ଲାର ବହଳଦାସ୍ଥିତ ମା’ କୀଚକେଶ୍ୱରୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିବେ। ପରେ ରାଇରଙ୍ଗପୁରର ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପରେ ମଧ୍ୟ ପୂଜା କରିବାର କାର୍ଯ୍ୟକ୍ରମ ରହିଛି।
ଏହାପରେ ରାଷ୍ଟ୍ରପତି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବେ। ଅକ୍ଟୋବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁରରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇଥିବା ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ଓ ହିତାଧିକାରୀଙ୍କୁ ସେ ଭେଟିବେ।
ସେହିଦିନ ଅପରାହ୍ନରେ ରାଇରଙ୍ଗପୁର କଚେରୀ ରୋଡ୍ରେ ଆୟୋଜିତ ଜନସମାବେଶରେ ଯୋଗଦେଇ ଆଭାସୀ ମାଧ୍ୟମରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ (ଆଇଆଇଏଫ୍ଏମ୍) କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ସହିତ କେନ୍ଦ୍ର ସରକାରଙ୍କ ‘ପ୍ରସାଦ’ ଯୋଜନା ଅଧୀନରେ ଖିଚିଂସ୍ଥିତ ମା’ କୀଚକେଶ୍ୱରୀ ମନ୍ଦିରର ପୁନରୁଦ୍ଧାର ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବେ।
ଏଥିସହ ନବନିର୍ମିତ ରାଇରଙ୍ଗପୁର ଓ ବାଦାମପାହାଡ଼ ‘ଅମୃତ ଭାରତ’ ରେଳ ଷ୍ଟେସନର ଉଦ୍ଘାଟନ କରିବା ସହ ରାଇରଙ୍ଗପୁରରେ ଗୋଶାଳା ଓ ଆଦିବାସୀ ସାମାଜିକ ଶିକ୍ଷା ଏବଂ ସାଂସ୍କୃତିକ ସଂଘର କୋଠା ପାଇଁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।
୨୯ ତାରିଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଗୁରୁତ୍ୱ
ଅକ୍ଟୋବର ୨୯ ତାରିଖ ସକାଳେ ରାଷ୍ଟ୍ରପତି ରାଇରଙ୍ଗପୁର ସ୍ପୋର୍ଟସ କମ୍ପ୍ଲେକ୍ସ, ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ଏବଂ ଗୋରୁମହିଷାଣୀ ଇସ୍ପାତ କଲେଜ ପରିଦର୍ଶନ କରିବେ। ପରେ ରାଇରଙ୍ଗପୁର ଟାଉନ୍ ହଲ୍ରେ ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କିତ ଆଲୋଚନା, ସଭା ଓ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଅପରାହ୍ନରେ ତାଙ୍କର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରହିଛି।
ସୁରକ୍ଷା ଓ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା
ବୈଠକରେ ଗୃହ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉଭୟ ଅତିଥିଙ୍କ ଗସ୍ତ କାର୍ଯ୍ୟସୂଚୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ପୁଲିସ ମହାନିର୍ଦ୍ଦେଶକ, ଆର୍ବିଆଇର ପଦାଧିକାରୀ ଏବଂ ସମ୍ପୃକ୍ତ ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ।
ଉଭୟ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା, କାର୍କେଡ୍ ପରିଚାଳନା, ଜରୁରୀକାଳୀନ ଚିକିତ୍ସା ସେବା, ରାସ୍ତା ମରାମତି, ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି ଏବଂ ଗଣମାଧ୍ୟମକୁ ସୂଚନା ଯୋଗାଣ ଆଦି ବିଷୟରେ ଆଲୋଚନା ହୋଇଥିଲା।
ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ ସଚିବ ଓ ଅଧିକାରୀଙ୍କୁ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇବା ସହ ପ୍ରସ୍ତୁତିର ବ୍ୟକ୍ତିଗତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟ କରିବ।
ସିଧା ସମ୍ବାଦ | ଓଡ଼ିଶାର ଖବର, ସିଧା ଆପଣଙ୍କ ପାଖରେ
