ନୀଳଗିରି -୩/୯(ସିଧାସମ୍ବାଦ);
ନୀଳଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ କାର୍ଯ୍ୟରତ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ଉପାଧ୍ୟାୟ ବିଭିନ୍ନ ସମୟରେ କାର୍ଯ୍ୟାଳୟରୁ ସରକାରୀ ଗାଡିରେ ତେଲ ପକାଇବା ବାହାନାରେ ଡିଜେଲ ବଦଳରେ ନିଜଗାଡ଼ିରେ ପେଟ୍ରୋଲ ପକାଇ ସରକାରୀ ଅର୍ଥକୁ ହଡ଼ପକରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଓ ପ୍ରକାଶିତ ହୋଇଥିବା ଯାହା ପେଟ୍ରୋଲ ପମ୍ପ ସିସିଟିଭି ଫୁଟେଜରେ କୟଦ ହୋଇଥିଲା। ଘଟଣା ସମଗ୍ରରାଜ୍ୟରେ ପ୍ରମୁଖ ଶିରୋନାମା ପାଲଟିଥିଲା। ଏଭଳି ଅର୍ଥଲୋଭି ଅଧିକାରୀ ଜଣକ ଶେଷରେ ନିଜକୁ ଦୋଷମୁକ୍ତ ପାଇଁ ନୂତନ ଉପାୟ ପାଞ୍ଚି ପମ୍ପ କର୍ମଚାରୀ ସମ୍ବିତ ଦାସ ନାମକ କର୍ମଚାରୀଙ୍କୁ ହାତବାରିଶି କରି ପୂର୍ବରୁ ଅଫିସ ପ୍ରଦତ୍ତ ନାଲି ରିସିଟକୁ ବଦଳକରି ପମ୍ପ ଦ୍ବାରା ଦିଆଯାଉଥିବା ହଳଦିଆ ରିସିଟ ଆଣିବା ଏବଂ ଉକ୍ତ ରସିଦ ଆଧାରରେ ୩୨୭ଲିଟର ପେଟ୍ରୋଲ ବାବଦ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏକାଉଣ୍ଟରେ ଗତ ୨/୯/୨୫ତାରିଖ ୩୦ହଜାର ୩ଶହ ୪ଟଙ୍କାର ଚେକ୍ ପ୍ରଦାନକରି ନିଜକୁ ଦୋଷମୁକ୍ତ କରିବାକୁ ଯନ୍ତ୍ରୀ ଉପାଧ୍ୟାୟ ଅପଚେଷ୍ଟା କରିଥିବା ଜଣାଯାଇଛି। ତେବେ ୩୦/୭/୨୫ତାରିଖରେ ଘୋଟାଲା ବାବଦରେ ସିସିଟିଭି ଫୁଟେଜରେ ଧରାପଡ଼ିବା ପରେ ସଂପୃକ୍ତ ପମ୍ପର କର୍ମଚାରୀ ଏବଂ ପମ୍ପ ଦାୟିତ୍ବରେଥିବା ମ୍ୟାନେଜର ସମ୍ବିତ ଦାସ ସରକାରୀ ତେଲଚୋରୀ ଘଟଣାକୁ ସ୍ବୀକାର କରିବା ଏବଂ ସଂପୃକ୍ତ ଅଧିକାରୀ ଜଣକ ପୂର୍ବରୁ ବହୁବାର ଏଭଳି ଅଫିସ ବିଲ୍ ଦେଇ ନିଜ ଗାଡିରେ ତେଲ ଭରିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ଉଚ୍ଚ ଅଧିକାରୀ ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ ଘଣ୍ଟ ଘୋଡାଉଥିବା ଏଭଳି କାର୍ଯ୍ୟରୁ ସ୍ପଷ୍ଟ ଅନୁମେୟ ହେଉଛି। ଗତ ସେପ୍ଟେମ୍ବର ୧ତାରିଖ ଭାରାପ୍ରାପ୍ତ ନୀଳଗିରି ଉପଜିଲ୍ଲାପାଳ ତଥା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ମଧୁସ୍ମିତା ସାମନ୍ତରାୟ ତଦନ୍ତକରି ଘଟଣାର ସତ୍ୟତାଥିବା ସ୍ବୀକାର କରିଥିଲେ। ମାତ୍ର ଦୁଇଦିନ ନପୁରୁଣୁ ଯନ୍ତ୍ରୀ ଜଣକ କେଉଁ ଆଧାରରେ ପମ୍ପରେ ଚେକ୍ ପ୍ରଦାନକଲେ ତାହା ତଦନ୍ତ ସାପେକ୍ଷ। ଏତଦ୍ ଭିନ୍ନ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଘଟଣାକୁ ଗୁରୁତ୍ବ ଦେଇଥିବାବେଳେ ଜଣେ ଅସାଧୁ ସରକାରୀ କର୍ମଚାରୀଙ୍କ କଳାକାରନାମାକୁ ପର୍ଦ୍ଦାଫାଶ କରିବା ସହିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୀଳଗିରି ଜନସାଧାରଣ ଦାବି କରିଛନ୍ତି।




