। ଘରର ବଡ଼ ମାନେ ନୂଆ ବସ୍ତ୍ର ପିନ୍ଧିବା ପରମ୍ପରା ରହିଛି । ଏହି ଅବସରରେ ଘରେ ଘରେ ପିଠାପଣା ହେବ। ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା ବି କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ରଥମାଷ୍ଟମୀରେ ହେଉଥିବା ଏଣ୍ଡୁରୀ ପିଠା ହଳଦୀପତ୍ରରେ କରାଯାଏ । ପୁଣ୍ୟତୋୟା ପ୍ରାଚୀ ତଟରୁ ଶ୍ରୀକ୍ଷେତ୍ର ଆସିଛି ପୋଢୁଆଁ ଭାର । ଭଣଜାଙ୍କ ପାଇଁ ନୂଆବସ୍ତ୍ର ଓ ଫଳମୂଳ ପଠାଇଛନ୍ତି ନିଆଳିର ମାଧବାନନ୍ଦ ଜୀଉ । ମାମୁ ପଠାଇଥିବା ବସ୍ତ୍ର ପିନ୍ଧି ପୋଢୁଆଁ ହେବେ ବଡ଼ଠାକୁର । ଶ୍ରୀଜୀଉଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ପାନ, ଗୁଆ, କର୍ପୂର, ଅଗୁର ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ନେଇ ପୁରୀ ଅଭିମୁଖେ ଯାଇଛନ୍ତି ୨୦ ଜଣ ବେହେରା ସେବକ। ୭ ବର୍ଷ ହେଲା ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିର ଯାଉଛି ପୋଢୁଆଁ ଭାର । ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଗୋଟିଏ ସ୍ଥାନକୁ ଲିପାପୋଛା କରି, ସେଠାରେ ଅରୁଆଚାଉଳ ବଟା ପିଠଉରେ କୋଠି କଟାଯାଏ । ସେଠାରେ ଗୋଟିଏ ପିଢ଼ା ରଖି ତା’ ଉପରେ ଚିତା ପକାଯାଏ ଏବଂ ଜ୍ୟେଷ୍ଠ ସନ୍ତାନ ତା’ ଉପରେ ବସନ୍ତି। ଏହି ଜ୍ୟେଷ୍ଠ ସନ୍ତାନର ବିଚାରରେ, ପୁତ୍ର ବା କନ୍ୟା ମଧ୍ୟରେ ପାର୍ଥକ୍ୟ ନଥାଏ । ଜ୍ୟେଷ୍ଠ ସନ୍ତାନ ପୁତ୍ର ହୋଇଥିଲେ ପିଢ଼ା ଉପରେ ପତାକା ଚିତା ଏବଂ କନ୍ୟା ହୋଇଥିଲେ ପଦ୍ମଚିତା ପକାଯାଏ । ତା’ ଉପରେ ବସି ପୁତ୍ର ବା କନ୍ୟା ବନ୍ଦାପନା ହୁଅନ୍ତି । ଏହି ଉପଲକ୍ଷେ ଘରେ ଏଣ୍ଡୁରି ପିଠା ଓ ଖିରିସା ଆଦି ପ୍ରସ୍ତୁତ କରାଯାଇ ଷଷ୍ଠୀଦେବୀଙ୍କୁ ସମର୍ପଣ କରାଯାଏ ଏବଂ ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ । ଘରର ଅନ୍ୟ ସମସ୍ତେ ମଧ୍ୟ ଏହାକୁ ଖାଆନ୍ତି। ସାଧାରଣତଃ ମାମୁଘର ପକ୍ଷରୁ ପ୍ରଥମାଷ୍ଟମୀ ଦିନ ବଡ଼ ଭଣଜା ବା ବଡ଼ ଭାଣିଜୀକୁ ଶ୍ରଦ୍ଧାର ସହ ପୋରୁହାଁ କରାଯାଇଥାଏ । ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହି ଦିନ ବଡ ପୁଅଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ, ସେ ଝିଅ ହେଉ କି ପୁଅ ତାଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମା’ମାନେ ବନ୍ଦାପନା କରନ୍ତି। ବନ୍ଦାପନା ପରେ ସେମାନେ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି।



