ନିଜର ବିବାହ ବାର୍ଷିକୀକୁ ସମସ୍ତେ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି । କିଏ ବଡ଼ ବଡ଼ ହୋଟେଲକୁ ଯାଇ କେକ୍ କାଟି ପାଳନ କରୁଛି ତ ପୁଣି କିଏ ମନ୍ଦିରରେ ବିବାହ ବାର୍ଷିକୀର ଆୟୋଜନ କରୁଥିବା ଦେଖିବାକୁ ମିଳେ । ଏଭଳି ସ୍ଥଳେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଚମ୍ପୁଆର ଉପଜିଲ୍ଲାପାଳ ଯାଜପୁର ଜିଲ୍ଲା ଛତିଆ ନିକଟସ୍ଥ ‘ସେବକ’ ଜରାଶ୍ରମରେ ନିଜର ବିବାହ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଜରାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ପାଖରେ ବସି କିଛି ସମୟ କାଟିଥିଲେ ଦମ୍ପତି । ଅଧିକାରୀ ଉମାକାନ୍ତ ପରିଡା ଜିଲ୍ଲାର ରସୁଲପୁର ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସମୟରେ ନିଜର ବିବାହ ବାର୍ଷିକୀ ଓ ପୁଅର ଜନ୍ମଦିନ ଜରାଶ୍ରମର ଅନ୍ତେବାସୀଙ୍କ ସହ ପାଳନ କରନ୍ତି । ଜଣେ ପରିବେଶ ପ୍ରେମୀ ଭାବେ ସେହି ବ୍ଲକ କ୍ୟାମ୍ପସକୁ ଏକ ପାର୍କର ଭ୍ରମ ସୃଷ୍ଟି କରି ଚର୍ଚ୍ଚାରେ ରହିଥିଲେ ଉମାକାନ୍ତ । ବର୍ତ୍ତମାନ ଶ୍ରୀ ପରିଡା କେନ୍ଦୁଝର ଜିଲ୍ଲା ଚମ୍ପୁଆର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ । ତେବେ ନିଜର ବିବାହ ବାର୍ଷିକୀ ଅବସରରେ ଶ୍ରୀ ପରିଡା ଛୁଟି ନେଇ ଧର୍ମପତ୍ନୀ ସଂଘମିତ୍ରା ସାହୁ ଓ ଶୁଭେଛୁଙ୍କୁ ସାଙ୍ଗରେ ନେଇ ସେବକ ଜରାଶ୍ରମରେ ପହଞ୍ଚିଥିଲେ । ସେଠାରେ ରହୁଥିବା ଅନ୍ତେବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ। ବେଶ କିଛି ସମୟ ଉଭୟ ସ୍ବାମୀ ସ୍ତ୍ରୀ ଅନ୍ତେବାସୀଙ୍କ ସହ ସମୟ କାଟିବା ପରେ ସମସ୍ତେ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ । ଏଠାରେ ରହୁଥିବା ଅନ୍ତେବାସୀଙ୍କ ସହ ବେଶ କିଛି ସମୟ କାଟି ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରିଛନ୍ତି ଚମ୍ପୁଆର ଉପଜିଲ୍ଲାପାଳ । ଜରାଶ୍ରମର ଅନ୍ତେବାସୀଙ୍କ ସହ ନିଜର ବିବାହ ବାର୍ଷିକୀ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଚମ୍ପୁଆର ଉପଜିଲ୍ଲାପାଳ ଉମାକାନ୍ତ ପରିଡା ।




