ଓଡ଼ିଶା କଂଗ୍ରେସରେ ପୁଣି ‘ଦିଲ୍ଲୀ ଦରବାର’ ରାଜନୀତି: ବିଧାୟକ ଦଳ ନେତା ବଦଳିବା ଚର୍ଚ୍ଚା, ତାରାଙ୍କ ପାଇଁ ଭକ୍ତଙ୍କ ଗୋଟି ଚାଳନା?

👇समाचार सुनने के लिए यहां क्लिक करें

ଭୁବନେଶ୍ୱର/ଦିଲ୍ଲୀ (ସିଧା ସମ୍ବାଦ): ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କଂଗ୍ରେସର ଏକ ବଡ଼ ବିଧାୟକ ଦଳ ହଠାତ୍ ଦିଲ୍ଲୀ ଗସ୍ତ କରିବା ପରେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଚର୍ଚ୍ଚା ହେଉଛି ଯେ, ବର୍ତ୍ତମାନର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କୁ ହଟାଇ ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତିଙ୍କୁ ଏହି ଦାୟିତ୍ୱ ଦେବା ପାଇଁ ହାଇକମାଣ୍ଡଙ୍କ ନିକଟରେ ଲବି ଆରମ୍ଭ ହୋଇଛି।

କଂଗ୍ରେସର ୧୧ ଜଣ ଅଣ-ନିଲମ୍ବିତ ବିଧାୟକଙ୍କ ମଧ୍ୟରୁ ୮ ଜଣ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗୋଷ୍ଠୀରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଦାସ ମଧ୍ୟ ସାମିଲ ଅଛନ୍ତି। ସଭାପତି ନିଜେ ଦିଲ୍ଲୀ ନଯାଇ ପୁଅ ଜରିଆରେ ହାଇକମାଣ୍ଡଙ୍କ ପାଖକୁ ବାର୍ତ୍ତା ପଠାଉଥିବା ନେଇ ଦଳ ଭିତରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏହି ବିଧାୟକମାନେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେ ଓ କୋଷାଧ୍ୟକ୍ଷ ଅଜୟ ମାକନଙ୍କୁ ଭେଟିଥିବା ସୂଚନା ମିଳିଛି।

ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଏବଂ ପିସିସି ସଭାପତିଙ୍କ ସହ ସୁସମ୍ପର୍କ କାରଣରୁ ତାରାପ୍ରସାଦଙ୍କ ପଲା ଭାରି ଥିବା କୁହାଯାଉଛି।

  • ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିବାରୁ କଂଗ୍ରେସ କାଡ଼ାମଙ୍କୁ ଆଗକୁ ଆଣିଥିଲା। କିନ୍ତୁ ଏବେ ତାରାଙ୍କ ଅଭିଜ୍ଞତାକୁ ବ୍ୟବହାର କରି ଦଳକୁ ଅଧିକ ଆକ୍ରମଣାତ୍ମକ କରିବାକୁ ଲକ୍ଷ୍ୟ ରଖାଯାଇଛି।

  •  ରାଜ୍ୟସଭା ନିର୍ବାଚନରେ ‘କମନ୍ ପ୍ରାର୍ଥୀ’ ପ୍ରସଙ୍ଗ ପରେ ତାରାଙ୍କ ଭଳି ଜଣେ ନେତା ବିରୋଧୀଙ୍କୁ ମୁକାବିଲା କରିବାରେ ଅଧିକ ସଫଳ ହେବେ ବୋଲି ଏହି ଗୋଷ୍ଠୀ ଯୁକ୍ତି ବାଢୁଛନ୍ତି।ଏହି ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ବିଧାୟକ ଦଳ ନେତା ପରିବର୍ତ୍ତନ ଖବରରେ କୌଣସି ସତ୍ୟତା ନାହିଁ। ବିଧାୟକମାନେ କେବଳ ବୁଲିବାକୁ ଯାଇଛନ୍ତି। ନେତା ବଦଳାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି ଏବଂ ଦଳରେ ସେଭଳି କୌଣସି ବୈଠକ ହୋଇନାହିଁ।

ଅପରପକ୍ଷରେ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ନୀଳମାଧବ ହିକକା ଓ ଅଶୋକ ଦାସ ଏହି ଗସ୍ତ ସମ୍ପର୍କରେ କିଛି ଜାଣି ନଥିବା କହିବା, କଂଗ୍ରେସ ଭିତରେ ଥିବା ଫାଟକୁ ସ୍ପଷ୍ଟ କରୁଛି।

ଦିଲ୍ଲୀ ଦରବାରରୁ ଏହି ନେତାମାନେ କି ବାର୍ତ୍ତା ନେଇ ଫେରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Sidha Sambad
Author: Sidha Sambad

Leave a Comment

और पढ़ें