ଅଭାବ ହିଁ ମଣିଷକୁ ଆଗକୁ ବଢ଼ିବାକୁ ବାଟ କଢ଼ାଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି କେନ୍ଦୁଝର ଜିଲ୍ଲା ମୁକୁନା ଗ୍ରାମର ସରୋଜିନୀ ନାଏକ। ପୁରୁଷ ପ୍ରଧାନ ଖାଦ୍ୟ ବିତରଣ ବ୍ୟବସ୍ଥା ଭିତରେ ନିଜକୁ ସାମିଲ କରି ସେ ଆଜି କେନ୍ଦୁଝର ସହରର ଜଣେ ଜଣାଶୁଣା ‘ଡେଲିଭରି ଗାର୍ଲ’।
୨୦୧୯ରେ ପ୍ରେମ ବିବାହ କରିଥିବା ସରୋଜିନୀଙ୍କ ହସଖୁସିର ସଂସାର ଉପରେ ଦୁଇ ବର୍ଷ ତଳେ ଦୁଃଖର ପାହାଡ଼ ଲଦି ହୋଇଗଲା, ଯେତେବେଳେ ତାଙ୍କ ସ୍ୱାମୀ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ଘରେ ବୃଦ୍ଧା ଶାଶୂଙ୍କ ଦାୟିତ୍ୱ ଏବଂ ପରିବାର ପ୍ରତିପୋଷଣ ପାଇଁ ସେ କୁଲି କାମ ଠାରୁ ଆରମ୍ଭ କରି ଦୋକାନରେ ମଧ୍ୟ କାମ କଲେ। କିନ୍ତୁ ସ୍ୱଳ୍ପ ରୋଜଗାରରେ ଔଷଧ ଖର୍ଚ୍ଚ ଓ ଦୁଇ ଓଳି ଗଣ୍ଡେ ଖାଇବା କଷ୍ଟକର ହୋଇପଡ଼ିଲା।
ଏହି ସମୟରେ ଜମାଟୋ ସଂସ୍ଥାରେ କାମ କରିବା ପାଇଁ ସେ ମନ ବଳାଇଲେ। କିସ୍ତିରେ ସ୍କୁଟିଟିଏ କିଣି ସେ ଆଜି ପ୍ରତିଦିନ ପ୍ରାୟ ୧୫ କିଲୋମିଟର ଦୂରରୁ ସହରକୁ ଆସି ଘରକୁ ଘର ବୁଲି ଖାଦ୍ୟ ପହଞ୍ଚାଉଛନ୍ତି। ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସଂଘର୍ଷ କରୁଥିବା ସରୋଜିନୀ ଆଜି ଦୈନିକ ୫୦୦ରୁ ୬୦୦ ଟଙ୍କା ରୋଜଗାର କରୁଛନ୍ତି। “ସ୍ୱପ୍ନ ଦେଖିବାକୁ ଏବେ ବେଳ ନାହିଁ, ପେଟ ପୂରିଲେ ସିନା ସ୍ୱପ୍ନ ଦେଖିବି” ବୋଲି କହୁଥିବା ସରୋଜିନୀଙ୍କ ଏହି କାହାଣୀ ଆଜି ସାରା ଜିଲ୍ଲାରେ ପ୍ରଶଂସା ସାଉଁଟୁଛି।



