ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏବେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ଖବର ଆସିଛି। ଆଜି (ରବିବାର) ଠାରୁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ପ୍ରବଳ ପବନ ବହିବାର ସମ୍ଭାବନା ଅଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ସେହିପରି ଉତ୍ତର ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି।
୬ ତାରିଖ ପାଇଁ ସତର୍କ ସୂଚନା: ଆସନ୍ତା ୬ ତାରିଖରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ପ୍ରବଳ ପବନ ବହିବାର ଆଶଙ୍କା ରହିଛି। ଏହା ସହିତ ଉପକୂଳ ଓଡ଼ିଶାର ଅନ୍ୟ କେତେକ ସ୍ଥାନରେ ମଧ୍ୟ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ଅଛି।



