ଓଡ଼ିଶାର ଯାତ୍ରା ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଯାତ୍ରା ମଞ୍ଚରେ ଏଣିକି ଦେଖିବାକୁ ମିଳିବ ବଲିଉଡର ଦମଦାର ଅଭିନେତା ପୁନିତ ଇସରଙ୍କ ଜଲୱା। ମହାଭାରତ ଧାରାବାହିକରେ ‘ଦୁର୍ଯ୍ୟୋଧନ’ ଭୂମିକାରେ ଅଭିନୟ କରି ସାରା ବିଶ୍ୱରେ ଘରେ ଘରେ ପରିଚିତ ହୋଇଥିବା ପୁନିତ ଏବେ ଓଡ଼ିଶାର ଗାଁ ଗାଁରେ ଯାତ୍ରା ପରିବେଷଣ କରିବେ।
ଆସନ୍ତା ୨୦୨୬-୨୦୨୭ ଯାତ୍ରାବର୍ଷ ପାଇଁ ପୁନିତ ଇସରଙ୍କୁ ନିଜ ପାର୍ଟିରେ ସାମିଲ କରିଛି ଚର୍ଚ୍ଚିତ ଯାତ୍ରା ଅନୁଷ୍ଠାନ ‘ନାଟ୍ୟମଣ୍ଡପ’। ଏନେଇ ନାଟ୍ୟମଣ୍ଡପର ମାଲିକାଣୀ ତଥା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପୂର୍ବରୁ ପୁନିତ ଇସର ଓଡ଼ିଆ ସିନେମାରେ ଅଭିନୟ କରି ଓଡ଼ିଶାବାସୀଙ୍କ ମନ ଜିଣିଥିବା ବେଳେ, ଏବେ ମଞ୍ଚ ଉପରେ ତାଙ୍କର ସିଧାସଳଖ ଅଭିନୟ ଓ ଭାରୀ ସଂଳାପ ଦର୍ଶକଙ୍କୁ ବେଶ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।
ତେବେ ଯାତ୍ରା ମଞ୍ଚରେ ସେ କେଉଁ ନାଟକରେ ଏବଂ କେଉଁ ଚରିତ୍ରରେ ଅବତୀର୍ଣ୍ଣ ହେବେ, ସେ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ବଲିଉଡରୁ ଯାତ୍ରା ମଞ୍ଚକୁ ପୁନିତଙ୍କ ଏହି ଆଗମନ ଓଡ଼ିଶା ଯାତ୍ରା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି।



