ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ: ଚଳନ୍ତା ଟ୍ରେନରୁ ବାହାରିଲା କଳା ଧୂଆଁ, ମଥୁରାରେ ଅଟକିଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ I

👇समाचार सुनने के लिए यहां क्लिक करें

ମଥୁରା: ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡର ଆଶଙ୍କା। ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା କର୍ଣ୍ଣାଟକ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଦୁଇଟି କୋଚ୍‌ରୁ ହଠାତ୍ ଧୂଆଁ ବାହାରିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗୁରୁବାର ମଥୁରା ଜଙ୍କସନ୍ ନିକଟରେ ଏହି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ଟ୍ରେନଟି ମଥୁରା ଜଙ୍କସନ୍ ଅତିକ୍ରମ କରୁଥିବା ବେଳେ ଯାତ୍ରୀମାନେ B1 ଏବଂ B4 କୋଚ୍‌ରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ପୂରା କୋଚ୍ ଧୂଆଁମୟ ହୋଇଯାଇଥିଲା। ପ୍ରାଣ ବିକଳରେ ଯାତ୍ରୀମାନେ ଚିତ୍କାର କରିବା ସହ ଟ୍ରେନ୍ ଅଟକିବା ମାତ୍ରେ ନିଜ ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡ଼ିଥିଲେ।

ଟ୍ରେନ୍ କର୍ମଚାରୀ ଓ ଲୋକୋ ପାଇଲଟଙ୍କୁ ସୂଚନା ମିଳିବା ପରେ ତୁରନ୍ତ ଗାଡ଼ିକୁ ମଥୁରା ଜଙ୍କସନ୍‌ରେ ଅଟକାଯାଇଥିଲା। ରେଳବାଇର ବୈଷୟିକ ଦଳ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ।

ରେଳବାଇର ବୈଷୟିକ ଦଳର ଯାଞ୍ଚ ପରେ ଜଣାପଡ଼ିଛି ଯେ, ଏହା କୌଣସି ବଡ଼ ଧରଣର ଅଗ୍ନିକାଣ୍ଡ ନଥିଲା। ଟ୍ରେନର ବ୍ରେକ୍ ସୁ ବାଇଣ୍ଡିଂ (Brake Shoe Binding) ଯୋଗୁଁ ଘର୍ଷଣ ସୃଷ୍ଟି ହୋଇଥିଲା, ଯାହା ଫଳରେ ପ୍ରବଳ ଧୂଆଁ ବାହାରିଥିଲା। ତେବେ କିଛି ସ୍ଥାନରେ ସର୍ଟ ସର୍କିଟ ଯୋଗୁଁ ଏଭଳି ହୋଇଥିବା ମଧ୍ୟ ଅନୁମାନ କରାଯାଉଛି।

ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ରେଳ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରେଳବାଇ ଏହି ଘଟଣାର ଏକ ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।

Sidha Sambad
Author: Sidha Sambad

Leave a Comment

और पढ़ें