ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ର ଫଳାଫଳ କେବଳ ରାଜ୍ୟ ନୁହେଁ, ବରଂ ସାରା ଦେଶକୁ ଚକିତ କରିଦେଇଛି। ମାତ୍ର ଦୁଇ ବର୍ଷ ପୂର୍ବେ ଗଠିତ ହୋଇଥିବା ସୁପରଷ୍ଟାର ବିଜୟଙ୍କ ଦଳ ‘ତାମିଜାଗା ଭେଟ୍ଟ୍ରି କାଝାଗମ’ (TVK) ଏକ ଐତିହାସିକ ସଫଳତା ହାସଲ କରିଛି। ଏହି ବିଜୟ ସହ ଦାକ୍ଷିଣାତ୍ୟ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିବା ବେଳେ, ‘ଥାଲାପତି’ ବିଜୟ ଏବେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।ରାଜନୈତିକ ସଫଳତା ସହିତ ବିଜୟଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଗୁଜବ ଏବେ ଶିଖରରେ ପହଞ୍ଚିଛି। ବିଶେଷ କରି ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଅନେକ ନ୍ୟୁଜ୍ ପୋର୍ଟାଲ୍ ଦାବି କରିଥିଲେ ଯେ, ନିର୍ବାଚନ ଫଳାଫଳ ପରେ ବିଜୟ ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି।କିଛି ଦକ୍ଷିଣ ଭାରତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ତ୍ରିଶାଙ୍କ ସହ ନିଜର ସମ୍ପର୍କକୁ ଅଫିସିଆଲ୍ କରିପାରନ୍ତି। ଏପରିକି ଏହି ଦମ୍ପତି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଏହି ଖବରକୁ ନେଇ ବର୍ତ୍ତମାନ ସୁଦ୍ଧା ବିଜୟ କିମ୍ବା ତ୍ରିଶାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସ୍ପଷ୍ଟିକରଣ ମିଳିନାହିଁ,ବିଜୟ ଏବଂ ତ୍ରିଶାଙ୍କ ବନ୍ଧୁତା ଅନେକ ପୁରୁଣା। ଅନେକ ସୁପରହିଟ୍ ଫିଲ୍ମରେ ଏହି ଯୋଡ଼ିଙ୍କୁ ଦର୍ଶକ ବହୁତ ଭଲପାଇବା ଦେଇଛନ୍ତି। ରାଜନୈତିକ ମଇଦାନରେ ବିଜୟଙ୍କର ଏହି ବିରାଟ ସଫଳତା ପରେ, ପ୍ରଶଂସକମାନେ ଏବେ ତାଙ୍କର ନୂତନ ଇନିଂସକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। କିନ୍ତୁ ବିବାହ ଖବରଟି କେବଳ ଗୁଜବ ନା ଏଥିରେ କିଛି ସତ୍ୟତା ଅଛି, ତାହା କେବଳ ସମୟ କହିବ।







