କଳାମଣ୍ଡପର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶ I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର

ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ନିର୍ମାଣଧୀନ କଳାମଣ୍ଡପ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ। କଳାମଣ୍ଡପର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିର୍ଦ୍ଦେଶ ଦେଇଛନ୍ତି।

କଳାମଣ୍ଡପ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ନେଇ ଆଜି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରାତଃ ସମୟରେ କଳା ମଣ୍ଡପ ବୁଲି ଦେଖିବା ସହ ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ଇଡ଼କୋର (IDCO) ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରାୟ ୧୭୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା କଳାମଣ୍ଡପ କମ୍ପ୍ଲେମ୍ସରେ ୨୦୦୦ ଆସନ ବିଶିଷ୍ଟ ଅଡ଼ିଟୋରିୟମ୍ ଏବଂ ୫୦୦ ଆସନ ବିଶିଷ୍ଟ ଏକ ମୁକ୍ତାକାଶ ରଙ୍ଗମଞ୍ଚର କାର୍ଯ୍ୟ ନିର୍ମାଣଧୀନ ରହିଛି। ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଅନ୍ତରାଳରେ ସମୀକ୍ଷା ବୈଠକ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ସଂସ୍କୃତି ବିଭାଗ ଓ ଇଡ଼କୋର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା, କଳାମଣ୍ଡପର ଆଲୋକୀକରଣ, ଦୃଶ୍ୟ-ଶ୍ରାବ୍ୟ ବ୍ୟବସ୍ଥା, ଭିଡ଼ିଓ ୱାଲ- ଏଲଇଡ଼ି ଇନଷ୍ଟଲେସନ ଉପରେ ମନ୍ତ୍ରୀ ଶ୍ରୀ ସୂରଜ ଗୁରୁତ୍ୱାରୋପ କରିଥିଲେ।

ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, କଳାମଣ୍ଡପର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ ହେବ। କଳା ଓ ସଂସ୍କୃତି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମତାମତକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଇଡ଼କୋର ମିଳିତ ସମନ୍ୱୟରେ କଳାମଣ୍ଡପର ନିର୍ମାଣ କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ କଳାମଣ୍ଡଳକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯିବ। ରାଜ୍ୟର ସର୍ବବୃହତ ଅଡ଼ିଟୋରିୟମ୍ ଓ ମୁକ୍ତାକାଶ ରଙ୍ଗମଞ୍ଚ “କଳାମଣ୍ଡଳ” ଓଡ଼ିଶାର ସାଂସ୍କୃତିକ ଗୌରବକୁ ଏକ ନୂତନ ପରିଚୟ ଦେବ। ଆମ ଓଡ଼ିଆ ସଂସ୍କୃତିକୁ ବିଶ୍ୱ ବିଦିତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାଜିବ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

ଆଜିର ସମୀକ୍ଷା ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଇଡ଼କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଡ଼ି. ପ୍ରଶାନ୍ତ କୁମାର ରେଡ୍ଡୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें