ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ନୂତନ ଯୁଗ: କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ଦ୍ୱାରା ଅତ୍ୟାଧୁନିକ ପାଣିପାଗ ସେବାର ଶୁଭାରମ୍ଭ
ନୂଆଦିଲ୍ଲୀ/ଭୁବନେଶ୍ୱର (ସିଧା ସମ୍ବାଦ): ଦେଶର ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସଠିକ୍ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ (IMD DG) ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଉପସ୍ଥିତିରେ ଅତ୍ୟାଧୁନିକ ପାଣିପାଗ ପୂର୍ବାନୁମାନ ପ୍ରଡକ୍ଟଗୁଡ଼ିକର ଶୁଭାରମ୍ଭ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ, ବଦଳୁଥିବା ଜଳବାୟୁ ପରିସ୍ଥିତିରେ ସଠିକ୍ ସମୟରେ ସୂଚନା ପ୍ରଦାନ କରିବା ସବୁଠାରୁ ବଡ଼ ଆହ୍ୱାନ। ଏହି ନୂତନ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ବଜ୍ରପାତ, ବାତ୍ୟା ଓ ଅଦିନିଆ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ପ୍ରଶାସନ ଓ ଜନସାଧାରଣଙ୍କୁ ଅଧିକ ସମୟ ମିଳିପାରିବ।
ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ତଥା ଓଡ଼ିଶାର ଗର୍ବ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏହି ଅବସରରେ ନୂତନ ବ୍ୟବସ୍ଥାର ବୈଷୟିକ ଦିଗ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ, ଏହି ସେବାଗୁଡ଼ିକ ବିଶେଷ କରି କୃଷି ଓ ପରିବହନ କ୍ଷେତ୍ର ପାଇଁ ମାଇଲଖୁଣ୍ଟ ସାଜିବ। ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସୂଚନା ପହଞ୍ଚାଇବା ପାଇଁ ଏବେ ଆଇଏମଡି (IMD) ସକ୍ଷମ ହୋଇଛି।





