ଦରବୃଦ୍ଧି ବିରୋଧରେ ବିଜେଡିର ରାସ୍ତାରୋକୋ ପ୍ରତିବାଦ I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର, : ଦେଶରେ କ୍ରମାଗତ ଭାବେ ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ରନ୍ଧନ ଗ୍ୟାସର ଅସ୍ୱାଭାବିକ ଦରବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାକୁ ବିରୋଧ କରି ମଙ୍ଗଳବାର ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳର ମିଳିତ ଆହ୍ୱାନରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ପ୍ରତିବାଦ ସମୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିବା ବେଳେ କୁଶପୁତ୍ତଳିକା ଦାହ କରାଯାଇଥିଲା। ମହିଳା କର୍ମୀମାନେ ରାସ୍ତା ଉପରେ ଚୁଲି ଜାଳି ନିଜ ଅସନ୍ତୋଷ ପ୍ରକାଶ କରିଥିଲେ। ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଜୀବନଯାପନ ଦୁର୍ହର ହୋଇପଡ଼ିଥିବା ସହ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶଛୁଆଁ ହୋଇଥିବା ବିଜେଡି ନେତାମାନେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ବିଏମ୍‌ସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି ବୋଲି ବିଜେଡି ନେତାମାନେ ସମାଲୋଚନା କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें