ସୁବର୍ଣ୍ଣପୁର (ସିଧା ସମ୍ବାଦ): ପୁଣି ଜଣେ ଜନପ୍ରତିନିଧି ଭିଜିଲାନ୍ସ ଜାଲରେ। ଏସଏଚଜି (SHG) ଗ୍ରୁପ୍ଠାରୁ ଲାଞ୍ଚ ନେବା ବେଳେ ରଙ୍ଗେହାତ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ କାବୁ କରିଛି।
୪୦ ହଜାରରୁ ମୂଲଚାଲ ହୋଇ ୨୦ ହଜାରରେ ଛିଣ୍ଡିଥିଲା କଥା
ଘଟଣାରୁ ପ୍ରକାଶ ଯେ, ନିମ୍ନା ଜିପି ଅଧୀନରେ ଥିବା ଏକ ପଞ୍ଚାୟତ ପୋଖରୀକୁ ମାଛ ଚାଷ (Pisciculture) ପାଇଁ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ (SHG) ୫ ବର୍ଷ ପାଇଁ ଲିଜ୍ରେ ନେଇଥିଲା। ଏହି ମାଛ ଚାଷର ଚୁକ୍ତିପତ୍ର ସ୍ଵାକ୍ଷର କରିବା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ଅଫିସରୁ ମିଳିବାକୁ ଥିବା ସବସିଡି ଟଙ୍କା କରାଇଦେବା ପାଇଁ ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ପ୍ରଥମେ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ତେବେ ଏସଏଚଜି ଗ୍ରୁପ୍ର କର୍ମକର୍ତ୍ତା ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ, ଶେଷରେ ମୂଲଚାଲ ହୋଇ ୨୦ ହଜାର ଟଙ୍କାରେ ଡିଲ୍ ଫାଇନାଲ୍ ହୋଇଥିଲା।
ଭିଜିଲାନ୍ସର ଫାନ୍ଦ, ରଙ୍ଗେହାତ ଗିରଫ
ଲାଞ୍ଚୁଆ ସରପଞ୍ଚଙ୍କୁ ପାନେ ଦେବା ପାଇଁ ଏସଏଚଜି ଗ୍ରୁପ୍ର କର୍ମକର୍ତ୍ତା (ଅଭିଯୋଗକାରୀ) ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ଅଭିଯୋଗକାରୀଙ୍କ ଠାରୁ ସରପଞ୍ଚ ସୂର୍ଯ୍ୟକାନ୍ତି ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଓତ ପେତି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ସରପଞ୍ଚଙ୍କ ନିକଟରୁ ସମସ୍ତ କେମିକାଲ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ଉପରେ ନଜର
ସରପଞ୍ଚଙ୍କୁ ଟ୍ରାପ୍ କରାଯିବା ପରେ, ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି (Disproportionate Assets) ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ସୂର୍ଯ୍ୟକାନ୍ତିଙ୍କ ସହ ଜଡ଼ିତ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଓ ଖାନତଲାସି ଜାରି ରହିଛି।
ଏହି ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧିତ) ଅଧିନିୟମ, ୨୦୧୮ ର ଧାରା ୭ ଅନୁଯାୟୀ କେସ୍ ନମ୍ବର ୧୦ (ତା ୦୪.୦୬.୨୦୨) ରେ ମାମଲା ରୁଜୁ କରାଯାଇଛି। ସରପଞ୍ଚଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।


