ଓଡ଼ିଶାବାସୀଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଆସିଛି ଏକ ବଡ଼ ଚେତାବନୀ। ଯଦି ଆପଣ ଭାବୁଛନ୍ତି କି ଗତ କିଛି ଦିନର ବର୍ଷା ପରେ ମୌସୁମୀ ଶାନ୍ତ ପଡ଼ିଯାଇଛି, ତେବେ ଆଦୌ ନୁହେଁ। ରାଜ୍ୟରେ ପୁଣି ଥରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ବିଶେଷ କରି ଜୁଲାଇ ୧୨ ତାରିଖରୁ ନେଇ ୧୫ ତାରିଖ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପୁଣି ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବ। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଜୁଲାଇ ୧୨ ତାରିଖରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ଜୁଲାଇ ୧୩, ୧୪ ଓ ୧୫ ତାରିଖ ବେଳକୁ ଏହା ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଆଡ଼କୁ ଗତି କରିବ।
(ପ୍ରବଳ ବର୍ଷା, ଜଳବନ୍ଦୀ ସହର ଏବଂ ଚାଷ ଜମିର ଭିଡିଓ କ୍ଲିପ୍)
ଏହି ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହିତ କେତେକ ସ୍ଥାନରେ ଫ୍ଲାସ ଫ୍ଲଡ୍ ବା ଆକସ୍ମିକ ବନ୍ୟା ପରି ସ୍ଥିତି ଉପୁଜିପାରେ। ବିଶେଷ କରି ଜୁଲାଇ ୧୪ ତାରିଖ ଦିନ ଓଡ଼ିଶାର ଅନେକ ସ୍ଥାନରେ ସର୍ବାଧିକ ବର୍ଷା ହେବାର ଆଶଙ୍କା ରହିଛି। ଚଳିତ ମୌସୁମୀ ଋତୁରେ ଏହା ପୁଣି ଏକ ବଡ଼ ବର୍ଷାର ସ୍ପେଲ୍ ହେବାକୁ ଯାଉଥିବାରୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ସାଧାରଣ ଜନତାଙ୍କୁ ମଧ୍ୟ ବଜ୍ରପାତ ଏବଂ ପ୍ରବଳ ବର୍ଷା ସମୟରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
ତେବେ ଆଗକୁ ପାଣିପାଗରେ କଣ ପରିବର୍ତ୍ତନ ହେଉଛି ଏବଂ ଆପଣଙ୍କ ଜିଲ୍ଲାର ସ୍ଥିତି କଣ ରହିବ, ତାହା ସବୁଠୁ ପ୍ରଥମେ ଜାଣିବା ପାଇଁ ଦେଖୁଥାନ୍ତୁ ‘ସିଧା ସମ୍ବାଦ’।


