ରାଜ୍ୟବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପାଣିପାଗ ଖବର। ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିସ୍ତୃତ ବର୍ଷା ହେବ। ବିଶେଷ କରି ଜଗତସିଂହପୁର ଜିଲ୍ଲାକୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାର ଓ ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଶୁକ୍ରବାର ଦିନ ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ। ଏହି ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୨୦ଟି ଜିଲାକୁ ବିଭିନ୍ନ ସତର୍କ ସୂଚନା ବା ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି।
ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ସକାଳୁ ହିଁ ଉତ୍ତର ଓ ଉପକୂଳ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକରେ ସର୍ବାଧିକ ୯୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର ଓ ବାରିପଦାରେ ପ୍ରାୟ ୩୬ ମିଲିମିଟର ଲେଖାଏଁ ବର୍ଷା ହୋଇଛି। ବାଲେଶ୍ବର, ଚାନ୍ଦବାଲି, ପାରାଦ୍ବୀପ, କଟକ, ଭୁବନେଶ୍ବର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ମଧ୍ୟ ତୁହାକୁତୁହା ବର୍ଷା ଲାଗି ରହିଛି।
ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ କେନ୍ଦ୍ର ଜାରି କରିଥିବା ସତର୍କତା ଗୁଡ଼ିକ ହେଲା:
-
ଜଗତସିଂହପୁର (ପ୍ରବଳରୁ ଅତି ପ୍ରବଳ ବର୍ଷା)।
-
: ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, କନ୍ଧମାଳ, ପୁରୀ, ଖୋରଧା, ନୟାଗଡ଼ ଏବଂ ଢେଙ୍କାନାଳ।
-
: ବାଲେଶ୍ବର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ମୟୂରଭଞ୍ଜ, ବୌଦ୍ଧ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ।
ଏହି ଲଘୁଚାପ ବର୍ଷା ସହରୀ ଅଞ୍ଚଳରେ କୃତ୍ରିମ ବନ୍ୟା ଏବଂ ଗ୍ରାମାଞ୍ଚଳରେ ଚାଷଜମି ଜଳମଗ୍ନ କରିବା ଆଶଙ୍କା ରହିଛି। ତେଣୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


