ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ଲଘୁଚାପ। ତେବେ ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ପ୍ରକ୍ରିୟା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶେଷ କରି ରାଜ୍ୟର ୭ଟି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ।
ଏହି ୭ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା:
ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଆସନ୍ତାକାଲି ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ମଧ୍ୟ ଭାରି ବର୍ଷା ହୋଇପାରେ।
କେମିତି ରହିବ ଅନ୍ୟ ଅଞ୍ଚଳର ପାଣିପାଗ?
ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ବର୍ତ୍ତମାନ ଅଧିକ ବର୍ଷାର ସମ୍ଭାବନା ନାହିଁ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଦେଖାଦେଇପାରେ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ପ୍ରାୟତଃ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ।
୨୪ ତାରିଖରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ:
ସେପଟେ ଆସନ୍ତା ୨୪ ତାରିଖ ବେଳକୁ ବାୟୁମଣ୍ଡଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହି ସମ୍ଭାବ୍ୟ ଘୂର୍ଣ୍ଣିବଳୟଟି ଆଗକୁ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ କି ନାହିଁ, ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ପ୍ରକାଶ କରାଯାଇନାହିଁ।


