ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ ବିଭିନ୍ନ ଦାବିକୁ ନେଇ ଜନ୍ତର ମନ୍ତରରୁ ସଂସଦ ଅଭିମୁଖେ ପ୍ରସ୍ତାବିତ ପଦଯାତ୍ରା ପୂର୍ବରୁ ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂସଦ ପରିସର ଏବଂ ଜନ୍ତର ମନ୍ତର ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଥିବା ବେଳେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଛି।
ପଦଯାତ୍ରା ସମୟରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ନିକଟରେ ପ୍ରତିବାଦକାରୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିଚାର୍ଜ କରି ପ୍ରତିବାଦକାରୀଙ୍କୁ ଛତ୍ରଭଙ୍ଗ କରିଥିବା ସୂଚନା ମିଳିଛି।
ଏପରିସ୍ଥିତିରେ କୋକରଚ ଜନତା ପାର୍ଟିର ମୁଖପାତ୍ର ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ ବର୍ତ୍ତମାନ ବିଜେପି ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ବାସଭବନରେ ଥିବା ସୂଚନା ମିଳିଛି। ଆଶୁତୋଷ ରାଙ୍କା କହିଛନ୍ତି, ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା ପାଇଁ ନଡ୍ଡା କିଛି ସମୟ ମାଗିଛନ୍ତି।
ପ୍ରତିବାଦକାରୀଙ୍କ ପ୍ରମୁଖ ଦାବିଗୁଡ଼ିକ ହେଲା—
- ୱାଙ୍ଗଚୁକଙ୍କ ତୁରନ୍ତ ମୁକ୍ତି।
- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା।
- ଆତ୍ମହତ୍ୟା କରିଥିବା ସମସ୍ତ ନିଟ୍ (NEET) ପରୀକ୍ଷାର୍ଥୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ।
ଘଟଣାକୁ ନେଇ ରାଜଧାନୀ ଦିଲ୍ଲୀରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଥିବା ବେଳେ ସଂସଦ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଜୋରଦାର କରାଯାଇଛି।


