ଗଣିଆ (ସିଧା ସମ୍ବାଦ):
ଗଣିଆ ଥାନା ପରିସରରେ ଶୁକ୍ରବାର ଦିନ ‘ଆମ ପୋଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଭାରପ୍ରାପ୍ତ ଅଧିକାରୀ ଟଙ୍କଧର ଛତ୍ରିଆଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଆଇନ ଶୃଙ୍ଖଳା, ଟ୍ରାଫିକ ସମସ୍ୟା ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ ବିଶଦ ଆଲୋଚନା କରାଯାଇଛି।
-
ପୋଲିସ-ଜନସାଧାରଣ ସମ୍ପର୍କ: ପୋଲିସକୁ ଭୟ ନକରି ସମାଜର ଜଣେ ସଚ୍ଚା ବନ୍ଧୁ ଭାବେ ଗ୍ରହଣ କରିବାକୁ ଥାନା ଅଧିକାରୀ ପରାମର୍ଶ ଦେଇଥିଲେ। ଜନସାଧାରଣଙ୍କ ଆସ୍ଥା ଓ ସହଯୋଗ ଦ୍ୱାରା ହିଁ କ୍ରାଇମ୍ ମୁକ୍ତ ସମାଜ ଗଠନ ସମ୍ଭବ ବୋଲି ମତପ୍ରକାଶ ପାଇଥିଲା। -
ଅପରାଧ ଓ ନିଶା ନିବାରଣ (୧୧୨ ହେଲ୍ପଲାଇନ୍): ଚୋରି, ଡକାୟତି, ଚୋରାମଦ, ଗଞ୍ଜେଇ, ବ୍ରାଉନସୁଗାର ବିକ୍ରି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ସାଧାରଣ ଜନତା ୧୧୨ ନମ୍ବରକୁ ଡାଏଲ୍ କଲେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ ବୋଲି ସୂଚନା ଦିଆଯାଇଥିଲା।
-
ଟ୍ରାଫିକ ଓ ହାଟ ସମସ୍ୟା: ସାପ୍ତାହିକ ହାଟ ଦିନ ରାସ୍ତାରୁ ଯାନବାହାନ ହଟାଇବା, ବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ନିଶାସେବନ ରୋକିବା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ପ୍ରବାସ ଶବର, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, ସମିତି ସଭ୍ୟ ଫକୀର ମୋହନ ଡାକୁଆଙ୍କ ସମେତ ଗଣିଆ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବ୍ୟବସାୟୀ ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ।


