ଭୁବନେଶ୍ୱର (ସିଧା ସମ୍ବାଦ):
ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ରାଜ୍ୟରେ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ (ITEP) ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୭ଟି ବିଶ୍ୱବିଦ୍ୟାଳୟ ଓ ୮ଟି ସରକାରୀ ମହାବିଦ୍ୟାଳୟକୁ ମିଶାଇ ସର୍ବମୋଟ ୧୫ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଏହି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି।
ଏହି ଅବସରରେ ଅନୁଷ୍ଠିତ ଏକ ଭର୍ଚୁଆଲ (ଆଭାସୀ) ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ନୂତନ ଭାବେ ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, “ଜାତୀୟ ଶିକ୍ଷା ନୀତି (NEP)-୨୦୨୦ ଅନୁଯାୟୀ ଏହି ପାଠ୍ୟକ୍ରମ ପ୍ରଣୟନ କରାଯାଇଛି। ଆମ ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ ଏବଂ ଏହି ପାଠ୍ୟକ୍ରମର ଶିକ୍ଷାର୍ଥୀମାନେ ଆଗାମୀ ଦିନରେ ଶୈକ୍ଷିକ ସମାଜର ନେତୃତ୍ୱ ନେବେ।”
-
ସମୟର ବାଚତ (୪ ବର୍ଷୀୟା ପାଠ୍ୟକ୍ରମ): ପୂର୍ବରୁ ସ୍ନାତକ (Graduate) ପରେ ବି.ଏଡ୍ କରିବା ପାଇଁ ମୋଟ ୫ ବର୍ଷ ସମୟ ଲାଗୁଥିଲା। ମାତ୍ର ITEP ଲାଗୁ ହେବା ପରେ ଛାତ୍ରଛାତ୍ରୀମାନେ +୨ (ଦ୍ୱାଦଶ) ପରେ ସିଧାସଳଖ ନାମ ଲେଖାଇ ୪ ବର୍ଷ ମଧ୍ୟରେ ନିଜର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିପାରିବେ।
-
NCET ମାଧ୍ୟମରେ ଚୟନ: ନ୍ୟାସନାଲ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ (NCET) ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏହି ପାଠ୍ୟକ୍ରମ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି।
-
ମଲ୍ଟି-ଡିସିପ୍ଲିନାରୀ ଶିକ୍ଷା: ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଦୁଇଟି ‘ମେଜର୍’ ବିଷୟ ସହ ‘ମାଇନର୍’ ବିଷୟ ବାଛିବାର ସୁବିଧା ପାଇବେ, ଯାହା ପାଠପଢ଼ାକୁ ବହୁ-ବିଷୟକ (Multi-disciplinary) କରିବ।
ଏହି ଆଭାସୀ ବୈଠକରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପ୍ରତିଭା ସାହୁ, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମୌସୁମୀ ନାୟକଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ନିଜର ଅନୁଭୂତି ବାଣ୍ଟିଥିଲେ।



