ଭୁବନେଶ୍ୱର (ସିଧାସମ୍ବାଦ): ଭାରତୀୟ ସିନେମା ଜଗତରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ବଲିଉଡ୍ ସହିତ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଜୀବନ୍ତ ଖଳନାୟକ ଅଭିନୟ ମାଧ୍ୟମରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତ। ଆଜି ତାଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।
ବଲିଉଡ୍ ମେଗାଷ୍ଟାର୍ ଆମିର ଖାନଙ୍କ ବ୍ଲକ୍ବଷ୍ଟର ସିନେମା ‘ଗଜନୀ’ରେ ମୁଖ୍ୟ ଖଳନାୟକ ଭୂମିକା ନିଭାଇ ସେ ଦର୍ଶକଙ୍କ ମନରେ ଏକ ଭିନ୍ନ ସିହରଣ ଓ ଭୟ ସୃଷ୍ଟି କରିଥିଲେ। ‘ଗଜନୀ’ ଚରିତ୍ରରେ ତାଙ୍କର ଦମଦାର୍ ଆକ୍ଟିଂ ଆଜି ବି ସିନେପ୍ରେମୀଙ୍କ ମନରେ ସାଜି ରହିଛି ଅଭୁଲା।
-
କେବଳ ବଲିଉଡ୍ ନୁହେଁ, ବରଂ ତେଲୁଗୁ, ତାମିଲ, କନ୍ନଡ ଓ ମଲାୟାଲମ୍ ଭଳି ଅନେକ ଆଞ୍ଚଳିକ ସିନେମାରେ ନିଜର ଅସାଧାରଣ ଅଭିନୟ ପାଇଁ ସେ ବେଶ୍ ପ୍ରଶଂସିତ ହୋଇଥିଲେ। ‘ଲଗାନ୍’, ‘ସରଫରୋଶ୍’ ଏବଂ ‘ସାଇ’ ଭଳି ହିଟ୍ ସିନେମାରେ ତାଙ୍କ ଭୂମିକା ସଦା ସର୍ବଦା ମନେରହିବ।
-
ତାଙ୍କର ଏହି ହଠାତ୍ ବିୟୋଗରେ ଚଳଚ୍ଚିତ୍ର ଜଗତର ଅନେକ ନାମୀଦାମୀ କଳାକାର, ନିର୍ଦ୍ଦେଶକ ଏବଂ ଅଗଣିତ ପ୍ରଶଂସକମାନେ ଗଭୀର ସମବେଦନା ଜଣାଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତେ ତାଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
ପ୍ରଦୀପ ରାୱତଙ୍କ ଅଭିନୟ ଏବଂ ଯୋଗଦାନ ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ ହୋଇ ରହିବ।


