ଭୁବନେଶ୍ୱର, ସେପ୍ଟେମ୍ବର ୨୬:(।ସିଧା ସମ୍ବାଦ) ଓଡ଼ିଆ ଭାଷାକୁ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଜ୍ଞାନ, ଦକ୍ଷତା, ନବସୃଜନ ଓ ନୂଆ ସୁଯୋଗର ଭାଷା ଭାବେ ବିକଶିତ କରିବାକୁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି

ଭୁବନେଶ୍ୱର ଜୟଦେବ ଭବନରେ ସାମାଜିକ-ସାଂସ୍କୃତିକ ଓ ସାହିତ୍ୟିକ ଅନୁଷ୍ଠାନ ‘ବିଶ୍ୱମୁକ୍ତି’ ପକ୍ଷରୁ ଆୟୋଜିତ ‘ଆମ ଭାଷା-ଆମ ଗର୍ବ ଓ ବିକଶିତ ଓଡ଼ିଶା@୨୦୩୬ ପାଇଁ ଦୃଷ୍ଟିଭଙ୍ଗୀ’ ଶୀର୍ଷକ ରାଜ୍ୟସ୍ତରୀୟ ସେମିନାରରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି।
ରାଜ୍ୟପାଳ କହିଛନ୍ତି, ଓଡ଼ିଆରେ ଗୁଣାତ୍ମକ ଶିକ୍ଷା ସାମଗ୍ରୀ ସହ ବୈଷୟିକ, ବୈଜ୍ଞାନିକ ଓ ବୃତ୍ତିଗତ ବିଷୟର ପୁସ୍ତକ ଅଧିକ ଉପଲବ୍ଧ ହେବା ଆବଶ୍ୟକ। ଆଇନ, ସରକାରୀ ଯୋଜନା ଓ ଜରୁରୀ ସରକାରୀ ଦସ୍ତାବିଜକୁ ସରଳ ଓଡ଼ିଆରେ ଉପଲବ୍ଧ କରାଇବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।
ଓଡ଼ିଆ ମାଧ୍ୟମର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା, ବୃତ୍ତିଗତ କ୍ଷେତ୍ର ଓ ନୂଆ ପ୍ରଯୁକ୍ତିରେ ସମାନ ସୁଯୋଗ ମିଳିବା ଦରକାର ବୋଲି ସେ କହିଛନ୍ତି। ମାତୃଭାଷାରେ ମଜଭୁତ ଭିତ୍ତି ସହ ଇଂରାଜୀ ଓ ଅନ୍ୟ ଭାଷାରେ ଦକ୍ଷତା ଯୁବପିଢ଼ିର ଦୃଷ୍ଟିକୋଣକୁ ବ୍ୟାପକ କରିପାରିବ ବୋଲି ରାଜ୍ୟପାଳ ମତ ଦେଇଛନ୍ତି।
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ପରମ୍ପରାକୁ ସ୍ମରଣ କରି ସେ ଜୟଦେବ, ସାରଳା ଦାସ ଓ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ ଉଲ୍ଲେଖ କରିଥିଲେ। ଭାଷା ଓ ଐତିହ୍ୟର ସୁରକ୍ଷା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପ୍ରତ୍ୟେକ ପିଢ଼ିର ଦାୟିତ୍ୱ ବୋଲି ସେ କହିଛନ୍ତି।
ବିକଶିତ ଓଡ଼ିଶା@୨୦୩୬ ଲକ୍ଷ୍ୟ ଦିଗରେ ଓଡ଼ିଆକୁ ଜ୍ଞାନ ଓ ନବସୃଜନର ଗତିଶୀଳ ଭାଷା କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତି, ଡିଜିଟାଲ ପ୍ଲାଟଫର୍ମ ଓ କୃତ୍ରିମ ବୁଦ୍ଧିମତ୍ତା (AI) ଓଡ଼ିଆ ଭାଷାକୁ ଯୁବପିଢ଼ି ପାଇଁ ଅଧିକ ସହଜଲଭ୍ୟ କରିପାରିବ ବୋଲି ସେ କହିଛନ୍ତି।
ଏହି ଅବସରରେ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କବିତା ସଂକଳନ ‘ଉଠିବକି ଜାତିର କଙ୍କାଳ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ମନ୍ତ୍ରୀଙ୍କୁ ଏଥିପାଇଁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭୁବନେଶ୍ୱର (ଏକାମ୍ର) ବିଧାୟକ ବାବୁ ସିଂହ, ପ୍ରଫେସର ଅର୍ଚ୍ଚନା ନାୟକ, ଅଧ୍ୟାପକ ବିଶ୍ୱରଞ୍ଜନ ଓ ‘ବିଶ୍ୱମୁକ୍ତି’ର ସମ୍ପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି ପ୍ରମୁଖ ଉପସ୍ଥିତ ଥିଲେ।