ଭୁବନେଶ୍ୱର, ଅକ୍ଟୋବର ୧: ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପକୁ ଆହୁରି ସମୃଦ୍ଧ କରିବା ସହ ଯୁବପିଢ଼ିଙ୍କୁ ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍) ପକ୍ଷରୁ ୨୦୨୬–୨୭ ବ୍ୟାଚ୍ର ନୂତନ ପ୍ରଶିକ୍ଷାର୍ଥୀଙ୍କ ପାଇଁ ସ୍ୱାଗତ ସମାରୋହ ଆୟୋଜିତ ହୋଇଛି।
ଭୁବନେଶ୍ୱରସ୍ଥିତ ଓଡ଼ିଶା କଳାଭୂମିର ଓପନ୍ ଏୟାର ଥିଏଟରରେ ଆୟୋଜିତ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ଟେରାକୋଟା, ଆପ୍ଲିକ୍ ବା ଚାନ୍ଦୁଆ, ପଥର ଖୋଦେଇ ଓ କାଠ ଖୋଦେଇ ଭଳି ବିଭିନ୍ନ ହସ୍ତଶିଳ୍ପରେ ୧୪୪ ଜଣ ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏକବର୍ଷିଆ ପ୍ରାରମ୍ଭିକ, ଉଚ୍ଚତର ଓ ମାଷ୍ଟର ଲେଭଲ୍ ସ୍ପେଶାଲାଇଜ୍ଡ ପ୍ରଶିକ୍ଷଣ ଆରମ୍ଭ ହୋଇଛି।
କାର୍ଯ୍ୟକ୍ରମ ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ ସହ ଆରମ୍ଭ ହୋଇଥିଲା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଗୁହା ପୂନମ୍ ତାପସ କୁମାର, ଆଇଏଏସ୍ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଐତିହ୍ୟର ପ୍ରକୃତ ରାଷ୍ଟ୍ରଦୂତ ଭାବେ ଅଭିହିତ କରିଥିଲେ।
କଞ୍ଚାମାଲରୁ ବଜାର ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ସୁଦୃଢ଼ କରିବା ସହ ଓଡ଼ିଶାର ପାରମ୍ପରିକ ହସ୍ତକଳାକୁ ରାଜ୍ୟ ବାହାରକୁ ନେଇ ବ୍ୟାପକ ବଜାରରେ ପହଞ୍ଚାଇବାକୁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ।
ସିଡାକ୍ର ସଦସ୍ୟ ସଚିବ ଚିନ୍ମୟୀ ବିଶ୍ୱାଳ ଏବଂ ଓଡ଼ିଶା ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ଆଇଏଏସ୍ ମଧ୍ୟ ପ୍ରଶିକ୍ଷାର୍ଥୀଙ୍କୁ ଉଦ୍ବୋଧନ ଦେଇଥିଲେ।
କାର୍ଯ୍ୟକ୍ରମରେ FIEO ଓଡ଼ିଶା ଚାପ୍ଟରର ରାଜ୍ୟ ମୁଖ୍ୟ କମଳ କାନ୍ତ ସାହୁ ଆନ୍ତର୍ଜାତୀୟ ବାଣିଜ୍ୟ ଓ ବିଶ୍ୱ ବଜାରରେ ହସ୍ତଶିଳ୍ପ ସାମଗ୍ରୀକୁ ପହଞ୍ଚାଇବା ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ସେହିପରି କାନାରା ବ୍ୟାଙ୍କର ମଣ୍ଡଳ ପ୍ରବନ୍ଧକ ରଞ୍ଜିତ କୁମାର ସାହୁ ଯୁବ ଶିଳ୍ପୀଙ୍କ ପାଇଁ ଆର୍ଥିକ ସାକ୍ଷରତା ଓ ଋଣ ସୁବିଧା ଉପରେ ଆଲୋକପାତ କରିଥିଲେ।
ସଫଳ ଉଦ୍ୟୋଗୀ ଉଷସୀ ରଥ (ଗୋଲ୍ଡେନ୍ ଗ୍ରାସ୍), ଅଜିତ୍ ରାୟ (ସବାଇ ଘାସ) ଓ ସମୀର କୁମାର ରାଉତ (ପଟ୍ଟଚିତ୍ର) ନିଜ ବ୍ୟାବସାୟିକ ଅନୁଭୂତି ଓ ଜ୍ଞାନ ପ୍ରଶିକ୍ଷାର୍ଥୀମାନଙ୍କ ସହ ବାଣ୍ଟିଥିଲେ।
ଏହି ଅବସରରେ ୪୩ ଜଣ ପ୍ରଶିକ୍ଷାର୍ଥୀଙ୍କୁ ବ୍ୟାବହାରିକ ପ୍ରଶିକ୍ଷଣ ପାଇଁ କଞ୍ଚାମାଲ ଓ ଟୁଲ୍ କିଟ୍ ବଣ୍ଟନ କରାଯାଇଥିଲା। ପ୍ରଶିକ୍ଷାର୍ଥୀ ସୁଜ୍ଞାନୀ ଭଟ୍ଟଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।