ନୂଆଦିଲ୍ଲୀ, ୦୭/୧୦/୨୦୨୬: ନିର୍ବାଚନ କମିଶନଙ୍କ କାର୍ଯ୍ୟକୁ ନେଇ କଂଗ୍ରେସ ଦଳ ପକ୍ଷରୁ ବଡ଼ ଧରଣର ପ୍ରତିବାଦ ଘୋଷଣା କରାଯାଇଛି। ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦସ୍ତଖତ ଥିବା ଏକ ଚିଠିରେ ଅକ୍ଟୋବର ୮ ତାରିଖରେ ‘ଗଣତନ୍ତ୍ର ପାଇଁ କଳା ଦିବସ’ ପାଳନ କରିବାକୁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ବ୍ୟାପକ ବିକ୍ଷୋଭ ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଚିଠିରେ କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ରର ବିଜେପି ସରକାର ଗଣତାନ୍ତ୍ରିକ ମର୍ଯ୍ୟାଦାର ସମସ୍ତ ସୀମା ଅତିକ୍ରମ କରିଛି। ନିର୍ବାଚନ କମିଶନଙ୍କ ନିକଟରେ ଜବାବଦେହିତା ଦାବି କରିବାକୁ ଯାଇଥିବା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନ୍ୟ ସାଂସଦଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ଦଳ ଦାବି କରିଛି।
ଚିଠିରେ ଆହୁରି ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ନେତା ଓ ସାଂସଦମାନଙ୍କୁ ପୋଲିସ ଦ୍ୱାରା ଧକ୍କା ଦିଆଯିବା ସହ ଲାଠିଚାର୍ଜ କରାଯାଇଥିଲା ଏବଂ କିଛି ନେତା ଆହତ ହୋଇଥିଲେ।
ଏହାକୁ ନେଇ କଂଗ୍ରେସ ଏହି ଦିନକୁ ‘ଗଣତନ୍ତ୍ର ପାଇଁ କଳା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛି। ଅକ୍ଟୋବର ୮, ଗୁରୁବାର ଦିନ ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରରେ ବ୍ୟାପକ ବିକ୍ଷୋଭ ଆୟୋଜନ କରିବାକୁ PCC, DCC ଓ BCCଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
କଂଗ୍ରେସ ଆହୁରି କହିଛି ଯେ, ନିର୍ବାଚନ କମିଶନଙ୍କ ମୁଖ୍ୟ ଗଣେଶ କୁମାରଙ୍କୁ ପଦରୁ ହଟାଇବା ଏବଂ ନିର୍ବାଚନ ବ୍ୟବସ୍ଥାର ନିରପେକ୍ଷତା ଓ ଅଖଣ୍ଡତା ରକ୍ଷା ପର୍ଯ୍ୟନ୍ତ ଦଳର ଲଢ଼େଇ ଜାରି ରହିବ।
