ନୂଆଦିଲ୍ଲୀ / ଲକ୍ଷ୍ନୌ:
ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗୌତମ ବୁଦ୍ଧ ନଗର ଜିଲ୍ଲାର ନୋଏଡ଼ାସ୍ଥିତ ଜେୱାର ଆନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରାଯାଇ ‘ନରେନ୍ଦ୍ର ମୋଦୀ ଆନ୍ତର୍ଜାତୀୟ ବିମାନବନ୍ଦର, ନୋଏଡ଼ା-ଜେୱାର’ (Narendra Modi International Airport) ରଖିବା ପାଇଁ ପ୍ରସ୍ତାବ ମଞ୍ଜୁର ହୋଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟର ବିକାଶ ଏବଂ ଏହି ଭବ୍ୟ ବିମାନବନ୍ଦର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ନିରନ୍ତର ସହଯୋଗ ପ୍ରତି କୃତଜ୍ଞତା ଜ୍ଞାପନ କରି ଏହି ନାମକରଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଦିଲ୍ଲୀ-ଏନସିଆର (NCR) ଅଞ୍ଚଳରେ ରହିଥିବା ଏହି ବିମାନବନ୍ଦର ଭାରତର ସବୁଠାରୁ ବଡ଼ ଏବଂ ଏସିଆର ଅନ୍ୟତମ ବୃହତ୍ତମ ବିମାନବନ୍ଦର ଭାବେ ଗଢ଼ିଉଠୁଛି। ଏହା ବିମାନ ସେବା ଏବଂ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଉତ୍ତର ପ୍ରଦେଶ ପାଇଁ ଏକ ମୁଖ୍ୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।