ବାଙ୍କୀଶୁଳ ଜୁଳକୁ ଠାରେ ଧୁମଧାମରେ ପାଳିତ ହେଲା ସପ୍ତମ ବାର୍ଷିକ ଭୂମିଜ ଭାଷା ଦିବସ; ଯୋଗଦେଲେ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର I

👇समाचार सुनने के लिए यहां क्लिक करें

ମୟୁରଭଞ୍ଜ ଜିଲ୍ଲା ଶୂଳିଆପଦା ଥାନା ଅନ୍ତର୍ଗତ ବାଙ୍କୀଶୁଳ ସ୍ଥିତ ଜୁଳକୁ ଠାରେ ଭାରତୀୟ ଆଦିବାସୀ ଭୂମିଜ ସମାଜ ପକ୍ଷରୁ ସପ୍ତମ ବାର୍ଷିକ ଭୂମିଜ ଭାଷା ଦିବସ-୨୦୨୬ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମନ୍ତ୍ରୀ ମହୋଦୟ ସହିଦ ଫତେ ସିଂ, ଜଗନ୍ନାଥ ସିଂ, ରଘୁନାଥ ସିଂ, ବୈଦ୍ୟନାଥ ସିଂ ଓ ଗଙ୍ଗାନାରାୟଣ ସିଂଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏହାପରେ ବିଡ୍‌ଡିରି ପତାକା ଉତ୍ତୋଳନ କରାଯାଇଥିଲା।

ଆଦିବାସୀ ସଂସ୍କୃତି ଓ ଭାଷାର ପ୍ରଚାର-ପ୍ରସାର ପାଇଁ ମନ୍ତ୍ରୀ ନିଜ ଅଭିଭାଷଣରେ ଭୂମିଜ ସମ୍ପ୍ରଦାୟର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଭୂମିଜ ଭାଷାକୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ “ଉରୁମ” ନାମକ ଭୂମିଜ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା।

 ଏହି ସମାରୋହରେ ମୟୁରଭଞ୍ଜ ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ରାକେଶ ସିଂ, କେନ୍ଦ୍ରୀୟ କମିଟିର ପୂର୍ବତନ ସଭାପତି ପାଇକ ସିଂ, ସାଧାରଣ ସମ୍ପାଦକ ମଙ୍ଗୁ ସିଂ, ରାଜ୍ୟ ସଭାପତି ଗମ୍ହା ସିଂ, ରାଜ୍ୟ ସାଧାରଣ ସମ୍ପାଦକ ହେମେନ୍ଦ୍ର ସିଂ, ସାଂସ୍କୃତିକ ସମ୍ପାଦକ ସୁଜାତା ସିଂ, ଜିଲ୍ଲା ସଭାପତି ରାଜକୁମାର ସିଂ ଏବଂ ବିଜେପି ଜିଲ୍ଲା ସଭାପତି କାନ୍ଦନ୍ଦ୍ରା ସୋରେନ ପ୍ରମୁଖ ମଞ୍ଚାସୀନ ଥିଲେ।

କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀ, ଲେଖକ, କବି, ଗାଳ୍ପିକ, ସମାଜସେବୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ମେଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର, ପୁସ୍ତକ ଓ ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା।

 ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଟାଟା, ରାଞ୍ଚି ଓ ରାଇରଙ୍ଗପୁର ଆଦି ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ଭୂମିଜ ସମ୍ପ୍ରଦାୟର ଲୋକ ଏହି ମହାସମାରୋହରେ ଯୋଗଦେଇଥିଲେ। ମହିଳା ଶାଖା ଉପସଭାପତି ଗୀତମଣୀ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें