ସିଧା ସମ୍ବାଦ କଳିଙ୍ଗ:
ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) କୁ ନେଇ ଦେଶର ରାଜନୀତି ଗରମାଗରମ ହୋଇଉଠିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ (INDIA) ବ୍ଲକର ୧୦ ଜଣ ପ୍ରମୁଖ ନେତା ସୋମବାର ସୁପ୍ରିମକୋର୍ଟ ଯାଇ ଏସଆଇଆର ବିରୋଧରେ ଏକ ପିଟିସନ୍ ଦାଖଲ କରିଛନ୍ତି।
ସୋମବାର ସକାଳେ ରାହୁଲ ଗାନ୍ଧୀ ସୂଚନା ଦେଇ କହିଥିଲେ ଯେ, ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଉଥିବା କଥିତ ଅନିୟମିତତା ସମ୍ପର୍କରେ ଅବଗତ କରାଇବା ପାଇଁ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କଠାରୁ ସମୟ ଓ ଅନୁମତି ମାଗିଥିଲେ। ତେବେ ପ୍ରଧାନ ବିଚାରପତି ତାଙ୍କୁ ସମସ୍ତ ଅଭିଯୋଗ ନେଇ ଏକ ଆନୁଷ୍ଠାନିକ ପିଟିସନ୍ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ଏହି ପରାମର୍ଶ ଆଧାରରେ ଇଣ୍ଡିଆ ମେଣ୍ଟର ନେତାମାନେ ଏକ ଶୋଭାଯାତ୍ରାରେ ବାହାରି ସୁପ୍ରିମକୋର୍ଟରେ ପହଞ୍ଚି ପିଟିସନ୍ ଦାଖଲ କରିଥିଲେ।
ଏହି ପିଟିସନ୍ ଦାଖଲ ସମୟରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ, ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ, ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ, ସିପିଆଇ(ଏମ୍) ନେତା ଏମ୍.ଏ. ବାବେ, ସିପିଆଇ ନେତା ଡି. ରାଜା, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଛା ନେତ୍ରୀ ମହୁଆ ମାଝି ଏବଂ ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
ଅନ୍ୟପଟେ, ଇଣ୍ଡିଆ ମେଣ୍ଟର ଏହି ସୁପ୍ରିମକୋର୍ଟ ଅଭିଯାନକୁ ଶାସକ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୁରୁ ପ୍ରସାଦ ପାଶୱାନ କହିଛନ୍ତି ଯେ, ଇଣ୍ଡିଆ ବ୍ଲକର ନେତାମାନେ ସମ୍ପୂର୍ଣ୍ଣ ମିଛ ପ୍ରଚାର କରୁଛନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ହିଁ ଏସଆଇଆର (SIR) ର ସାମ୍ବିଧାନିକ ବୈଧତା ଉପରେ ମୋହର ମାରିସାରିଛନ୍ତି। ସାରା ଦେଶରେ ବାରମ୍ବାର ପରାଜୟ ବରଣ କରିବା ପରେ କଂଗ୍ରେସ ଓ ତାହାର ସହଯୋଗୀ ଦଳଗୁଡ଼ିକ ହତାଶ ହୋଇ ଏଭଳି ଅପପ୍ରଚାର ଚଳାଇଛନ୍ତି।