ଭୁବନେଶ୍ୱର, ୧୮ ଅକ୍ଟୋବର:
ରବିବାର ଦିନ ଭୁବନେଶ୍ୱରସ୍ଥିତ ଲୋକ ଭବନ ଠାରେ ଏକ ବର୍ଣ୍ଣାଢ଼୍ୟ ଓ ସରକାରୀ କାର୍ଯ୍ୟକ୍ରମରେ ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଭାବେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ଜଷ୍ଟିସ ହରିଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଏହି ସମ୍ମାନଜନକ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟମନ୍ତ୍ରୀ ପରିଷଦର ସଦସ୍ୟଗଣ, ସାଂସଦ, ବିଧାୟକ ଏବଂ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ନୂତନ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବତନ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଶ୍ରୀ ବ୍ରଜମୋହନ ରାମ ଏହି ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବ ସମାପ୍ତି ପରେ ରାଜ୍ୟପାଳଙ୍କୁ ସମ୍ମାନଜନକ ‘ଗାର୍ଡ ଅଫ ଅନର’ ପ୍ରଦାନ କରାଯାଇଥିଲା।
ପ୍ରକାଶ ଥାଉକି, ତିନିଥର ସାଂସଦ ଏବଂ ପୂର୍ବତନ ବିଧାୟକ ଭାବେ ଦୀର୍ଘ ସାବଜନିକ ଜୀବନର ଅଭିଜ୍ଞତା ରଖିଥିବା ଶ୍ରୀ ରାମ ଶନିବାର ଦିନ ଭୁବନେଶ୍ୱରରେ ପହଞ୍ଚିଥିଲେ। ବିମାନବନ୍ଦରରେ ଅବତରଣ କରିବା ପରେ ସେ ସପରିବାର ପୁରୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।