ନୀଳଗିରି-୧୦/୪(ସିଧାସମ୍ବାଦ);
ପ୍ରକୃତିପ୍ରେମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାବୀର ଫାଉଣ୍ଡେସନ।ପରିବେଶ, ଜଙ୍ଗଲ, ଜନ୍ତୁ ଓ ମାନବସମାଜ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ।ସେଇ ପ୍ରକୃତି ପ୍ରେମରେ ଜଡ଼ିତ ନୀଳଗିରିର ପ୍ରକୃତିପ୍ରେମୀ ଅନୁଷ୍ଠାନ ମହାବୀର ଫାଉଣ୍ଡେସନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ସଂରକ୍ଷିତ ଜଗଂଲରେ ପକ୍ଷୀମାନଙ୍କ ପାଇଁ ଜଳପାତ୍ରର ବ୍ୟବସ୍ଥା କରିଛନ୍ତି। ସୂଚନା ଅନୁଯାୟୀ ଖରାଦିନେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳୀୟବାଷ୍ପ ହ୍ରାସ ଯୋଗୁଁ ସାରା ଜୀବଜଗତ ହାହାକାର କରିଉଠେ। ନିରୀହ ପଶୁପକ୍ଷୀମାନେ ପାଣିମୁନ୍ଦାଏ ପାଇଁ କଲବଲ ହୋଇଉଠନ୍ତି । ତେବେ ଏଭଳି ନିରୀହପକ୍ଷୀଙ୍କ ଜୀବନ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି ନୀଳଗିରି ବ୍ଲକ ଅଧିନ ଗୋପୀନାଥପୁର ଅଞ୍ଚଳର ମହାବୀର ଫାଉଣ୍ଡେସନ ସଂଗଠନ। ତୃଷାର୍ତ୍ତ ପକ୍ଷୀମାନଙ୍କୁ ଜଳଦାନ ପାଇଁ ସଜନାଗଡ ପଞ୍ଚାୟତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୫୦ରୁଅଧିକ ସ୍ଥାନରେ ଜଳପାତ୍ର ଗଛମାନଙ୍କରେ ଟଙ୍ଗା ଯାଇଛି।ପ୍ରତ୍ୟେକଦିନ ଏହି ଜଳପାତ୍ର ଗୁଡିକରେ ଜଳଭର୍ତି କରାଯାଉଛି।ଏହି ଉଦ୍ୟମ ଫଳରେ ନିରୀହ ପକ୍ଷୀମାନେ ତୃଷାନିବାରଣ କରୁଥିବା ପରିଲକ୍ଷିତ ହେଉଛି। ଏଭଳି କାର୍ଯ୍ୟକ୍ରମ ବନାଞ୍ଚଳବାସୀଙ୍କ ମଧ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷାପାଇଁ ସଚେତନତା,ଦାୟିତ୍ଵବୋଧ ଓ ପ୍ରକୃତିକୁ ଅଧିକ ଭଲପାଇବାର ବାର୍ତ୍ତା ସୃଷ୍ଟିକରିବ ବୋଲି ଉକ୍ତ ଫାଉଣ୍ଡେସନର ପ୍ରତିଷ୍ଠାତା ବିଦ୍ୟାଧର ବାରିକ କହିଛନ୍ତି। ଏହି ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ଅଭିଜିତ୍ ବେହେରା, ଅଶେଷ କୁମାର ରଣା, ଦିଗମ୍ବର ବେହେରା, ପ୍ରଦୀପ କୁମାର ମଲିକ, ବ୍ରହ୍ମଜିତ୍ ବେହେରା, ଚନ୍ଦନ ଜେନା ପ୍ରମୁଖ ସାମିଲ ରହିଛନ୍ତି। ମହାବୀର ଫାଉଣ୍ଡେସନର ଏଭଳି ନିସ୍ଵାର୍ଥପର ସେବା ସମାଜପାଇଁ ଏକ ଉଦାହରଣ ବୋଲି ଆଲୋଚିତ ହେଉଛି।





