ଭୁବନେଶ୍ବର: ବିପର୍ଯ୍ୟୟପ୍ରବଣ ରାଜ୍ୟ ଓଡ଼ିଶା। ବିଭିନ୍ନ ସମୟରେ ବାତ୍ୟା ଓ ବନ୍ୟା ଯୋଗୁଁ ଉପକୂଳ ଓଡ଼ିଶାର ଜିଲାଗୁଡ଼ିକ ଧ୍ବସ୍ତବିଧ୍ବସ୍ତ ହୋଇଥାଏ। ବାତ୍ୟା ଯୋଗୁଁ କୋଟିକୋଟି ଟଙ୍କାର କ୍ଷତି ସହିବାକୁ ପଡ଼େ। ଏଥିରେ ବିଦ୍ୟୁତ୍ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଥାଏ। ଏହା ଦ୍ବାରା ବିଦ୍ୟୁତ ସରବରାହ ସହ ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଥାଏ। ବିଦ୍ୟୁତ୍ ଖୁଣ୍ଟ, ତାର, ଅତି ଉଚ୍ଚ କ୍ଷମତାସମ୍ପନ୍ନ ସଞ୍ଚାରଣ ଲାଇନ ଓ ଟାୱାର ମଧ୍ୟ କ୍ଷତିଗ୍ରସ୍ତ ହୁଏ। ରାଜ୍ୟରେ ୨୦୧୩ରୁ ୨୦୨୪ ମଧ୍ୟରେ ୮ଟି ବାତ୍ୟାରେ ୨୭୮୮ କୋଟି ଟଙ୍କାର ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।
ସରକାରୀ ତଥ୍ୟ ଅନୁଯାୟୀ, ୨୦୧୩ ଅକ୍ଟୋବରରେ ଫାଇଲିନ ବାତ୍ୟାରେ ୧୦୪୮ କୋଟି ଟଙ୍କାର ବିଦ୍ୟୁତ୍ ଭିତ୍ତିଭୂମି ନଷ୍ଟ ହୋଇଥିଲା। ଏଥିରେ ୩୮ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ। ଏହାପରେ ୨୦୧୪ ଅକ୍ଟୋବରରେ ବାତ୍ୟା ହୁଦ୍ହୁଦ୍ ପ୍ରଭାବରେ ୧୦୪ କୋଟି ଟଙ୍କାର ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ୨୦୧୮ ଅକ୍ଟୋବରରେ ତିତ୍ଲି, ୨୦୧୯ ମେ’ରେ ଫଣି, ୨୦୧୯ ନଭେମ୍ବରରେ ବୁଲ୍ବୁଲ୍ ବାତ୍ୟା ଯୋଗୁଁ ଯଥାକ୍ରମେ ୧୩୩ କୋଟି, ୧୧୫୯ କୋଟି ଏବଂ ୬ କୋଟି ଟଙ୍କା କ୍ଷୟକ୍ଷତି ଘଟିଥିଲା। ଏଥିସହ ୨୦୨୦ ମେ’ରେ ବାତ୍ୟା ଅମ୍ଫାନରେ ୭୫ କୋଟି, ୨୦୨୧ ମେ’ରେ ୟସ୍ରେ ୧୫୭ କୋଟି ଏବଂ ୨୦୨୪ ସେପ୍ଟେମ୍ବରରେ ଦାନା ବାତ୍ୟା ୧୦୬ କୋଟି ଟଙ୍କାର ବିଦ୍ୟୁତ୍ ଭିତ୍ତିଭୂମି ନଷ୍ଟ କରିଥିଲା।
ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ଲଗାତାର ବାତ୍ୟାରେ ପ୍ରଭାବିତ ହେଉଥିବାବେଳେ ବିପର୍ଯ୍ୟୟ ସହନଶୀଳ ବିଦ୍ୟୁତ୍ ଭିତ୍ତିଭୂମି ସୃଷ୍ଟି କରିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଥିଲେ ମଧ୍ୟ ଏ ଦିଗରେ କାର୍ଯ୍ୟ ତ୍ବରାନ୍ବିତ ହେଉନି। ସମୁଦ୍ର ତଟରୁ ୬୦ କି.ମି. ପର୍ଯ୍ୟନ୍ତ ଭୂତଳ କେବଲିଂ ସହ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ସୃଷ୍ଟି ପାଇଁ ୨୫ ହଜାର କୋଟି ଟଙ୍କା ଆବଶ୍ୟକ ଥିବା ଅଟକଳ କରାଯାଇଥିଲା। ସେହିପରି ସମସ୍ତ ଏଚ୍ଟି ନେଟ୍ୱର୍କକୁ ଭୂତଳେ ପରିଚାଳିତ ପାଇଁ ପ୍ରାୟ ୪୦, ୬୦୦ କୋଟି ଟଙ୍କା ଆବଶ୍ୟକ। ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ବିଭିନ୍ନ ସମୟରେ ଓଡ଼ିଶା କେନ୍ଦ୍ରର ସହାୟତା ଲୋଡ଼ିଛି। ୨୦୨୧ ମେ’ରେ ବାତ୍ୟା ୟସ୍ ପରେ ପ୍ରଭାବିତ ଜିଲାଗୁଡ଼ିକରେ ବାତ୍ୟା ସହନଶୀଳ ଭିତ୍ତିଭୂମି ପାଇଁ ୧୨, ୮୫୩ କୋଟି ଟଙ୍କା ସହାୟତା କେନ୍ଦ୍ରକୁ ମଗା ଯାଇଥିଲା। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଆରଡିଏସ୍ଏସ୍ ଅଧୀନରେ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ବିତରଣ ଭିତ୍ତିଭୂମି ପାଇଁ ୩, ୦୬୯ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଗା ଯାଇଥିଲା। ଓଡ଼ିଶାର ଉପକୂଳବର୍ତ୍ତୀ କେତେକ ଅଞ୍ଚଳରେ ଭୂତଳ କେବଲିଂ କାମ କରାଯାଉଥିଲେ ହେଁ ଏହାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଅଧିକ କେନ୍ଦ୍ରୀୟ ସହାୟତା ଜରୁରୀ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।
ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ଫାଇଲିନ୍ ବାତ୍ୟାର ଗଭୀର କ୍ଷୟକ୍ଷତିକୁ ଆକଳନ କରି ଓଡ଼ିଶା ସରକାର ବାତ୍ୟା ସହନଶୀଳ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। କଲକାତାରେ ହୋଇଥିବା ଭୂତଳ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅନୁକରଣ କରି ଓଡ଼ିଶା ସରକାର ଜାପାନ ସରକାରଙ୍କ ୧୬୦୦ କୋଟି ଟଙ୍କା ଆର୍ଥିକ ସହାୟତାକୁ ସ୍କ୍ରିପ୍ସ ସ୍କିମରେ ବିନିଯୋଗ କରି ରାଜଧାନୀ ଅଞ୍ଚଳରେ ଭୂତଳ ବିଦ୍ୟୁତ୍ ନିର୍ମାଣ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପୁରୀ ସହରରେ ଭୂତଳ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଥିଲା। ଅପରପକ୍ଷେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ବାତ୍ୟା ସହନଶୀଳ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣର ନିୟମ ଓ ମାର୍ଗଦର୍ଶିକା ଜାରି କରିଥିଲେ। ବିଶ୍ବ ବ୍ୟାଙ୍କର ଆର୍ଥିକ ସହାୟତାରେ ପ୍ରାୟ ୪ଟି ସ୍କିମରେ ୧୦ ହଜାର କୋଟି ଟଙ୍କା ଦକ୍ଷିଣ ଓ ପଶ୍ଚିମ ଉପକୂଳ ରାଜ୍ୟ ପାଇଁ ଖର୍ଚ୍ଚ ହୋଇଥିଲେ ବି ଓଡ଼ିଶାକୁ ତାହାର ସୁଫଳ ମିଳିଲା ନାହିଁ। ସେହିପରି ୩ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତ କେନ୍ଦ୍ର ସରକାରଙ୍କ ଆରଡିଏସଏସ ପ୍ରକଳ୍ପ ସହାୟତାରେ ଭାରତର ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟ ବାତ୍ୟା ସହନଶୀଳ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ କରିଥିଲେ ବି ଓଡ଼ିଶା ଏହାର ସୁଫଳରୁ ବଞ୍ଚିତ ହୋଇଛି। ସେଥିପାଇଁ ଘରୋଇକରଣ ଦାୟୀ। ମହାରାଷ୍ଟ୍ର ସରକାର ଆରଡିଏସ୍ଏସ୍ ପ୍ରକଳ୍ପରେ ପ୍ରାୟ ୧୭୨୩୨ କୋଟି ଟଙ୍କାର ବାତ୍ୟା ସହନଶୀଳ ଭିତ୍ତିଭୂମି ନିର୍ମାଣ କରିଛନ୍ତି। ଓଡ଼ିଶାର ବାତ୍ୟା ସହନଶୀଳ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ ପାଇଁ ସ୍ବତନ୍ତ୍ର ଭାବେ କେନ୍ଦ୍ର ଆର୍ଥିକ ସହାୟତା/ଅନୁଦାନ ପ୍ରଦାନ କରିବା ଆବଶ୍ୟକ।




