ଜୟପୁର: ହତ୍ୟା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ଜଣେ ପୁରୁଷ ଓ ଜଣେ ମହିଳା ଜେଲଦଣ୍ଡ ଭୋଗୁଥିଲେ। ଜେଲ୍ରେ ଅବସ୍ଥାନ କାଳରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ପରସ୍ପରକୁ ବିବାହ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ହାଇକୋର୍ଟ ସେମାନଙ୍କର ବିବାହ ସମ୍ପନ୍ନ ହେବା ପାଇଁ ଉଭୟଙ୍କୁ ୧୫ ଦିନିଆ ପାରୋଲ ଅନୁମତି ଦେଇଥିବା ଜଣାପଡିଛି। ସୂଚନା ମୁତାବକ ଏହି ପ୍ରେମୀଯୁଗଳ ହେଉଛନ୍ତି ରାଜସ୍ଥାନର ଅଲୱାର ନିବାସୀ। ପ୍ରିୟା ସେଠ୍ ନାମ୍ନୀ ଏହି ମହିଳା ପେସାରେ ଜଣେ ମଡେଲ। ଡେଟିଂ ଆପ୍ରେ ଦୁଷ୍ମନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରେମବିବାହ କରିଥିବାବେେଳ ପରବର୍ତ୍ତୀ ସମୟରେ ସମ୍ପତ୍ତି ପାଇଁ ପ୍ରିୟା ସ୍ବାମୀଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅପରପକ୍ଷରେ ହନୁମାନ ପ୍ରସାଦ ନାମକ ଅପରାଧୀ ପାଞ୍ଚଜଣଙ୍କୁ ହତ୍ୟା କରିଥିବା ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଛନ୍ତି। ଉଭୟ ସାଙ୍ଗାନେର ଜେଲ୍ରେ ବନ୍ଦୀ ଜୀବନ ଅତିବାହିତ କରୁଥିବାବେଳେ ଛଅ ମାସ ପୂର୍ବେ ଉଭୟଙ୍କ ପ୍ରେମରେ ପଡିଥିଲେ। ଶୁକ୍ରବାର ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି।




