ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ୍ ସେବା ବା ‘ଲକ୍ଷ୍ମୀ ବସ୍’ (LAccMI Bus) ଯୋଜନା ନିମନ୍ତେ ରାଜ୍ୟ ସରକାର ପ୍ରଥମ ତିନି ବର୍ଷ ପାଇଁ ୩,୧୭୮ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥିରୁ ୨୦୨୩-୨୪ରୁ ୨୦-୨୬ ମଧ୍ୟରେ ଓଏସଆରଟିସିକୁ ମୋଟ ୨,୮୦ kୋଟି ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ନିଗମ ଏହି ଟଙ୍କାକୁ ଲୋକଙ୍କ ସେବାରେ ନଲଗାଇ ବ୍ୟାଙ୍କ ଆକାଉଣ୍ଟରେ ଜମା ରଖିଥିଲା।
-
୨୦୨୩-୨୪: ସରକାର ଦେଇଥିଲେ ୬୫୬ କୋଟି ଟଙ୍କା, ଯେଉଁଥିରୁ ୧୫୩ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଲା।
-
୨୦୨୪-୨୫: ନିଗମ ପାଇଥିବା ୧,୦୮୫ କୋଟି ଟଙ୍କାରୁ ୩୬୯ କୋଟି ଟଙ୍କା ବ୍ୟୟ କରାଗଲା ନାହିଁ।
-
୨୦୨୫-୨୬: ମିଳିଥିବା ୧,୦୬୫ କୋଟି ଟଙ୍କାରୁ ୪୭୮ କୋଟି ଟଙ୍କା ଅବ୍ୟବହୃତ ଭାବେ ରହିଗଲା।
କ୍ରମାଗତ ଭାବେ ବଜେଟ୍ ପାଣ୍ଠି ବିନିଯୋଗ ହୋଇପାରୁ ନଥିବା ବେଳେ ପୁନର୍ବାର କେଉଁ ଆଧାରରେ ଓଏସଆରଟିସିକୁ ପାଣ୍ଠି ଯୋଗାଇ ଦିଆଯାଉଛି, ତାହା ମହାଲେଖାକାର ଜାଣିବାକୁ ଚାହିଁଛନ୍ତି। ଏହାସହ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି:
ଦୁଇଟି ଘରୋଇ ବ୍ୟାଙ୍କ ଏବଂ ଗୋଟିଏ ସରକାରୀ ବ୍ୟାଙ୍କରେ ଏହି ଅବ୍ୟବହୃତ ପାଣ୍ଠିକୁ ‘ଲକ୍ଷ୍ମୀ’ ଯୋଜନା ଓ ‘ଗ୍ରାମୀଣ ପରିବହନ ସେବା’ ଯୋଜନା ନାମରେ କାହିଁକି ଅଲଗା ଅଲଗା କରି ରଖାଯାଇଛି? ଯଦି ଯୋଜନା ଗୋଟିଏ, ତେବେ ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ରଖିବାର ଉଦ୍ଦେଶ୍ୟ କଣ?
ଓଏସଆରଟିସି ନିଜ ବଜେଟ୍ ଖର୍ଚ୍ଚ କରିପାରୁ ନଥିବା ବେଳେ, ବିଭାଗ ପକ୍ଷରୁ ସେମାନଙ୍କୁ ବାସ୍ତବବାଦୀ ଖର୍ଚ୍ଚ ଦାବି (Realistic Expenditure Demand) ଉପସ୍ଥାପନ କରିବା ପାଇଁ କୁହାଯାଇଛି କି ନାହିଁ, ତାହାର ଉତ୍ତର ମଧ୍ୟ ଲୋଡ଼ାଯାଇଛି।
ଓଡ଼ିଶା ମହାଲେଖାକାରଙ୍କ ଏହି ସାଙ୍ଘାତିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିବା ପରେ ପରିବହନ ବିଭାଗ ତତ୍ପରତା ପ୍ରକାଶ କରିଛି। ଏତେ ବଡ଼ ପରିମାଣର ସରକାରୀ ଅର୍ଥ ବ୍ୟାଙ୍କରେ ପଡ଼ିରହିବା ଏବଂ ଯୋଜନାର ସଠିକ୍ କ୍ରିୟାନ୍ୱୟନ ନହେବାକୁ ନେଇ ଓଏସଆରଟିସି କର୍ତ୍ତୃପକ୍ଷଙ୍କୁ କଡ଼ା ଜବାବ ମଗାଯାଇଛି। କ୍ଷତିରେ ଚାଲୁଥିବା ଏକ ସରକାରୀ ନିଗମର ଏଭଳି କାର୍ଯ୍ୟକଳାପ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।





