ଭୁବନେଶ୍ୱର (ସିଧା ସମ୍ବାଦ): ଦେଶର ରାଜଧାନୀ ନୂଆଦିଲ୍ଲୀରେ ରଚାଯିବାକୁ ଯାଉଛି ଏକ ଐତିହାସିକ ଅଧ୍ୟାୟ। ଓଡ଼ିଶାର ଗୌରବ, ସ୍ୱାଧୀନତା ସଂଗ୍ରାମୀ, ପ୍ରଥିତଯଶା ସାହିତ୍ୟିକ ତଥା ସାଲିସବିହୀନ ସାମ୍ବାଦିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଦିଲ୍ଲୀରେ ସ୍ଥାପନ କରାଯାଉଛି। ଏହା କୌଣସି ଓଡ଼ିଆ ମହାନାୟକଙ୍କ ଦିଲ୍ଲୀରେ ପ୍ରଥମ ପ୍ରତିମୂର୍ତ୍ତି, ଯାହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ।
ଆସନ୍ତା ସୋମବାର ପୂର୍ବାହ୍ନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିମୂର୍ତ୍ତିର ଅନାବରଣ କରିବେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ଦିଲ୍ଲୀ ଓ ଓଡ଼ିଶାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ନୂଆଦିଲ୍ଲୀର ଲଜପତ୍ ନଗରସ୍ଥିତ ଲୋକସେବକ ମଣ୍ଡଳ (Servants of the People Society) ର ମୁଖ୍ୟ କାର୍ଯ୍ୟାଳୟ ‘ଲଜ୍ପତ ଭବନ’ ପରିସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି।
ଲୋକସେବକ ମଣ୍ଡଳ ପକ୍ଷରୁ ଉତ୍କଳମଣିଙ୍କ ଅବଦାନକୁ ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବା ପାଇଁ ଏହି ପ୍ରୟାସ କରାଯାଇଛି।
-
ନିସ୍ୱାର୍ଥପର ଜନସେବା: ବନ୍ୟା, ବାତ୍ୟା ଓ ମରୁଡ଼ି ସମୟରେ ବିପନ୍ନଙ୍କ ପାଖରେ ପହଞ୍ଚି ନିରୁଚ୍ଛେଦ ସେବା ଯୋଗାଇବା।
-
ଶିକ୍ଷା ସଂସ୍କାର: ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ମାଧ୍ୟମରେ ମଣିଷ ତିଆରି କାରଖାନା ଗଢ଼ିବା ସହ ନାରୀ ଓ ପ୍ରୌଢ଼ ଶିକ୍ଷାକୁ ପ୍ରାଥମିକତା ଦେବା।
-
ସାହିତ୍ୟ ଓ ସାମ୍ବାଦିକତା: ‘ସମାଜ’ ସମ୍ବାଦପତ୍ରର ପ୍ରତିଷ୍ଠା କରି ନିର୍ଭୀକ ଓ ସାଲିସବିହୀନ ସାମ୍ବାଦିକତାର ଭିତ୍ତିପ୍ରସ୍ତର ସ୍ଥାପନ କରିବା।
-
ଓଡ଼ିଶା ଗଠନ ଓ ମହାଭାରତୀୟ ଚେତନା: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଜାତୀୟ ସ୍ତରରେ ଭାରତୀୟ ଚେତନାର ବିକାଶରେ ତାଙ୍କର ଯୋଗଦାନ।
ଦିଲ୍ଲୀରେ ଏଯାବତ୍ କୌଣସି ଓଡ଼ିଆ ବରପୁତ୍ରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ହୋଇନଥିବା ବେଳେ ଉତ୍କଳମଣିଙ୍କ ଏହି ପ୍ରତିମା ଅନାବରଣ ଓଡ଼ିଆ ସ୍ୱାଭିମାନ ଓ ସଂସ୍କୃତିକୁ ଜାତୀୟ ସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବ।


